ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ଜଳ ସଂପଦ ବିଭାଗ ଯନ୍ତ୍ରୀଙ୍କୁ ଦାବିପତ୍ର

ରାଇରଙ୍ଗପୁର : ଧାନ ଅମଳ ପରେ ପରେ ରବି ଚାଷ ଆରମ୍ଭ ହେବ । ଲୌହର ପ୍ରାଚୁର୍ଯ୍ଯ ଭିତରେବି  ଶିଳ୍ପ ବିହୀନ ବାମନଘାଟୀ ଉପଖଣ୍ଡର କୃଷକଙ୍କ ପାଖରେ ଧାନ ଚାଷ ଛଡ଼ା ସେମାନଙ୍କ ପାଖରେ ବିକଳ୍ପ ଵ୍ଯଵସ୍ଥା ନାହିଁ  ।  ସେଥିପାଇଁ  ଦାଦନ ଖଟିବାକୁ ଯୁବ ଗୋଷ୍ଠୀ ପ୍ରସ୍ତୁତ ହେଲେଣି । ଏଠାରେ କ୍ଷୁଦ୍ର‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଖଡଖାଈ,ବାଙ୍କବଳ,ନେସା ଡେମ୍ ଅଛି  ତଦସହ ଛୋଟବଡ ଚେକ ଡେମ୍ ଅଛି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର  କୃଷକ ସଶକ୍ତିକରଣ ଯୋଜନା କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଇରଙ୍ଗପୁର  ଅଞ୍ଚଳର  ୭୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ରାଇରଙ୍ଗପୁର କୃଷକ ଉତ୍ପାଦକ ସଂଗଠନ ଗଢାଯାଇଛି । ଏଥିରେ ଭାଲୁବସା,ନାଗଭଣ,ନାଉଯୋଡା,ପୋଡାଡିହା,ଵୁଡାମରା,ନିଉତି,ମୂଷାବଣୀ, ନୂଆଗାଁ,ତିଳପୋଷି,ବଡବାଇକଳା  ଗ୍ରାମର ଚାଷୀମାନେ ଆଳୁ,ଡାଲି ଜାତୀୟ ଚାଷ ସହ ପିଆଜ,ରସୁଣ,ତୈଳ  ଜାତୀୟ ଶସ୍ୟ ଚାଷ କରିବା ପାଇଁ ଜୋରଦାର ଅଣ୍ଟା ଭିଡିଛନ୍ତି ।

ଏଥିପାଇଁ  ରାଇରଙ୍ଗପୁର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୃଷକ ଉତ୍ପାଦକ ସଂଗଠନର ଡାଇରେକ୍ଟର ଡମ୍ବରୁଧର ମହାନ୍ତ,ମେନେଜିଂ ଡାଇରେକ୍ଟର ତପନ ମହାନ୍ତ ରବି ଚାଷ ପାଇଁ ଜଳ ଯୋଗାଣ ନିମନ୍ତେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ମଧ୍ୟ ଚାଷୀମାନଙ୍କ ଅବଗତ ନିମନ୍ତେ ଆସନ୍ତା ୧୦ ତାରିଖ ଦିନ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଉଦ୍ୟାନ ବିଭାଗ ଅଧିକାରୀ,କୃଷି ବିଭାଗ ଅଧିକାରୀ ଏବଂ କୃଷକ ଉତ୍ପାଦକ ସଂଗଠନର ସଦସ୍ଯ ମାନଙ୍କର ଏକ ସମନ୍ବୟ ବୈଠକ ଓ ଚାଷ ସମ୍ବନ୍ଧୀୟ ଆଲୋଚନା ହେବ‌ ବୋଲି ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି। ତେଣୁ ସମସ୍ତ ସଦସ୍ୟ   ଏହି ବୈଠକରେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ଦେବାପାଇଁ ଅନୁରୋଧ କରିଛନ୍ତି ।