ହିନ୍ଦୋଳ/ଗୌତମ ମୁଦୁଲି: ହିନ୍ଦୋଳ ଘଇଉ ଗଠନ ହେବା ପରଠାରୁ ପ୍ରାୟ ୧୧ ବର୍ଷ ବିତି ସାରିଲାଣି।ହେଲେ ଆଜି ପର୍ୟ୍ୟନ୍ତ ସହରାଞ୍ଚଳ ନିୟମ ଲାଗୁ କରିବାରେ ସମ୍ପୂର୍ଣ୍ଣ ଅକ୍ଷମ ସାଜିଛି ହିନ୍ଦୋଳ NAC କର୍ତ୍ତୃପକ୍ଷ।ସହରାଞ୍ଚଳକୁ ସ୍ଵଚ୍ଛ ତଥା ସୁନ୍ଦର କରିବା NAC କର୍ତ୍ତୃପକ୍ଷଙ୍କ ଏକ ଗୁରୁଦାୟିତ୍ଵ ହୋଉଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବାର ଦେଖିବାକୁ ମିଳିଛି।ଆଗକୁ ନିର୍ବାଚନ ଥିବାବେଳେ ହିନ୍ଦୋଳ ଘଇଉ ଅଞ୍ଚଳ ମଧ୍ୟରେ ମାଳ ମାଳ ନେତା,ତଥାକଥିତ ସମାଜସେବୀ,ସାମ୍ବାଦିକ,ଓକିଲ ମାନଙ୍କ ବଡ ବଡ ବ୍ୟାନର୍ ପୋଷ୍ଟର ସବୁ ସରକାରୀ ଜାଗା ଉପରେ ବେନିୟମ ଭାବରେ ଲାଗିଛି।ଏପରିକି ପୋଷ୍ଟର ପ୍ରତିଦ୍ୱନ୍ଦିତାରୁ ବାଦ ପଡି ନାହାନ୍ତି ଖୋଦ୍ NAC ଅଧ୍ୟକ୍ଷ ଓ କାଉନ୍ସିଲର।ଛକ ଛକରେ ସରକାରୀ ରାସ୍ତା,ଇଲେକ୍ଟ୍ରି ପୋଲ ଖୁଣ୍ଟି ଗୁଡିକ ଉପରେ ବେଆଇନ୍ ଭାବେ ବ୍ୟାନର୍ ଲାଗିଛି।ହିନ୍ଦୋଳ ଘଇଉ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ କହିବା କଥା ଯେ କେହି ମଧ୍ୟ ବ୍ୟାନର୍ ମାରିବା ପାଇଁ ଅନୁମତି ନେଇ ନାହାନ୍ତି।ତେବେ ଏଥିରୁ ଘଇଉ କର୍ତ୍ତୃପକ୍ଷଙ୍କ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ନୂଆ ବର୍ଷ ଅଭିନନ୍ଦନ ବ୍ୟାନର୍ ଗୁଡିକ ଲାଗିବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ କାହିଁକି ବେଆଇନ୍ ପୋଷ୍ଟର ବ୍ୟାନର୍ ଗୁଡିକୁ ଖୋଲା ଯାଇନାହିଁ ଏବଂ ଜୋରିମାନା ଲଗାଯାଇ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।