ନଭେମ୍ବର ୩ରେ ଧବଳେଶ୍ୱର ବଡ଼ଓଷା

କଟକ: ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୮ରୁ ନଭେମ୍ବର ୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧ ନଭେମ୍ବରରୁ ୫ ଯାଏଁ ପଞ୍ଚକ ବ୍ରତ ପାଳନ କରାଯିବ। ୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।

୫ ନଭେମ୍ବର କାର୍ତ୍ତିକ ବ୍ରତ ଶେଷ ସହ ବୋଇତ ଭସାଣ ହେବ। ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏପରି ନିଷ୍ପତ୍ତି ହୋଇଛି। କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବ। ତେଣୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ହୋଇଛି।