ଗୋରଖପୁର: ଆମଦାନି ଉପରେ ନିଷେଧାଜ୍ଞା ଲାଗୁ ହେବା ସତ୍ତ୍ବେ ନେପାଳରୁ ଦୁଇଟି ଟମାଟୋ ଗାଡ଼ି ଭାରତକୁ ପ୍ରବେଶ କରାଇବାରେ ସହଯୋଗ କରି ସରକାରୀ ଅଧିକାରୀମାନେ ନିଲମ୍ବିତ ହୋଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । ନେପାଳରେ ଟମାଟୋ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଭାରତରେ ଏହାକୁ ୧୫୦ ଟଙ୍କାରୁ ଅଧିକ ମୁଲ୍ୟରେ ବିକ୍ରୟ କରାଯାଉଛି ।
ରିପୋର୍ଟ ଅନୁସାରେ, ନେପାଳରୁ ଆସିଥିବା ଦୁଇଟି ଟମାଟୋ ବୋଝେଇ ଗାଡ଼ି ନେପାଳ ସୀମାନ୍ତ ବାଟେ ପ୍ରବେଶ କରୁଥିବା ‘ସିସିଟିଭି’ ଫୁଟେଜରୁ ଜଣାପଡ଼ିଥିଲା । ପୁଲିସ ଉକ୍ତ ଗାଡ଼ି ଦୁଇଟିକୁ ଅଟକାଇ ଭାରତ-ନେପାଳ ସୀମାନ୍ତରେ ଥିବା ଇଣ୍ଡିଆନ୍ କଷ୍ଟମ୍ ଅଫିସକୁ ପଠାଇ ଦେଇଥିଲେ। କିନ୍ତୁ, ଅର୍ଥ ବିନିମୟରେ ସେଠାକାର କର୍ମଚାରୀମାନେ ଟମାଟୋ ଚୋରା ଚାଲାଣକାରୀଙ୍କୁ ପ୍ରବେଶ ଅନୁମତି ଦେଇଥିଲେ। ଘଟଣାର ସତ୍ୟତା ସାମ୍ନାକୁ ଆସିବାପରେ କଷ୍ଟମ ଅଫିସର ସମସ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କେବଳ ଟମାଟୋ ନୁହେଁ ନେପାଳରୁ ଆସୁଥିବା ଅନେକ ପ୍ରକାରର ପନିପରିବା ଉପରେ ନିଷେଧାଦେଶ ଜାରି କରାଯାଇଥିବା ଫଳରେ ନେପାଳୀ ବ୍ୟବସାୟୀମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି । ସେହିପରି ଭାରତର ଅଧିକାଂଶ ପ୍ରାନ୍ତରେ ଟମାଟୋ ଦର ସ୍ବାଭାବିକ ଦରଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ବିକ୍ରୟ ହେଉଛ । ଏହି ପରିସ୍ଥିତି ଆହୁରି ବେଶ୍ କିଛି ଦିନ ଲାଗି ରହିବ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।