ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା

ଛତିଶଗଡ଼-: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ଜଣେ ଅଧିକାରୀ କାରେଗୁଟ୍ଟା ପାହାଡ଼ରେ ତ୍ରିରଙ୍ଗା ଧରି ଦୌଡ଼ୁଥିବାର ନଜରକୁ ଆସିଛି ।

ଛତିଶଗଡ଼ର କାରେଗୁଟ୍ଟା ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼ । କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ ଏହି ପାହାଡ଼ଟିରେ ବହୁବର୍ଷ ଧରି ନକ୍ସଲମାନେ ଆଡ୍ଡା ଜମେଇଥିଲେ। ଦଖଲ ପରେ ଜାତୀୟ ପତାକା ପୋତିଛି ସୁରକ୍ଷା ବାହିନୀ । ଅପରେଶନ ସମୟରେ ଏହି ନକ୍ସଲ ଗଡ଼, ଯେଉଁଠାରେ ଅନେକ କ୍ୟାଡର ଓ କିଛି ଶୀର୍ଷ ନେତା ଥିଲେ, ୮୦୦ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ । ସମଗ୍ର ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରି ରଖିଛନ୍ତି । ପାହାଡ଼ଗୁଡ଼ିକୁ ଅବରୋଧ କରାଯାଇଛି ଏବଂ ଲୁଚି ରହିଥିବା ନକ୍ସଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି – ଆତ୍ମସମର୍ପଣ କରନ୍ତୁ ନଚେତ୍ ନିର୍ମୂଳ ହେବେ। ସୁରକ୍ଷା କର୍ମୀମାନେ ଜଙ୍ଗଲୀ ଓ ପାହାଡ଼ିଆ ଭୂମିରେ, ଯେଉଁଠାରେ ବିସ୍ଫୋରକ ଡିଭାଇସ୍ (IED) ବିଛା ଯାଇଛି, ଧୀରେ ଧୀରେ ଆଗେଇ ଚାଲିଛନ୍ତି। ସେମାନେ ମାଓବାଦୀଙ୍କ ଲୁଚିବା ସ୍ଥାନ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଖୋଜୁଛନ୍ତି ।