ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟା ପଛରେ ଥିବା ରହସ୍ୟ ଓ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ ଭଦ୍ରକ ଏସପି ଅଫିସ ଓ ଚାନ୍ଦବାଲି ଥାନାରେ ଯାଇ ପହଁଚିଥିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ଘଟଣାର ଅଧିକ ଛାନଭିନ ଏବଂ ତଦନ୍ତ ପ୍ରକ୍ରିୟାକୁ ଆଗେଇବା ପାଇଁ ଉକ୍ତ ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ଗତକାଲି ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ ବାହାରିଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ସେହିପରି ଅନ୍ୟଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି । ମାନସ ହତ୍ୟା ମାମଲା ନେଇ ଏସପିଙ୍କ ସହ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ବିଷୟରେ ଅଧିକ ଆଲୋଚନା କରିଛନ୍ତି ।
ଏହି ହତ୍ୟାକାଣ୍ଡ ମାମଲା ନେଇ ଗତକାଲି ପ୍ରେସମିଟ୍ କରିଥିଲେ କ୍ରାଇବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ସେ ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଥିଲେ, ମାନସ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁ ଟିମର ନେତୃତ୍ୱ ନେଉଥିବା ବେଳେ ଟିମରେ ଅଛନ୍ତି ୯ ଅଫିସର । ସେହିଭଳି ଘଟଣାର ଅଧିକ ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି ।

ଗଠିତ ହୋଇଥିବା ୨ଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ମାନସ ହତ୍ୟା ମାମଲାର ତଦନ୍ତ କରିବା ସମୟରେ ଅନ୍ୟ ଏକ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିବା ଦିଗରେ ସାହାର୍ଯ୍ୟ କରିବ । ଏହାସହିତ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଥିଲେ କି, ଶର୍ମିଷ୍ଠା ରାଜ୍ୟ ବାହାରକୁ ଫେରାର ହୋଇଯାଇଛନ୍ତି । ତେଣୁ ତାଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଏକ ଟିମ୍ ଗଠନ କରାଯାଇଛି ।ଅନ୍ୟପକ୍ଷେ ଶର୍ମିଷ୍ଠାର ଭାଇ ପରମେଶ୍ୱରକୁ କୋର୍ଟ ଚାଲାଣ ପରେ ଜେଲ ପଠା ଯାଇଛି । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପରଚାଉଚରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ ।