ଚୀନରେ ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ସାବଧାନ, ସତର୍କତା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମାତ୍ରା ଧିରେ ଧିରେ କମୁଥିବା ସମୟରେ ପଡୋଶୀ ଦେଶ ଚୀନରେ କିନ୍ତୁ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି | ଯାହାକି ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇଛି । ଗତ କିଛି ସପ୍ତାହ ମଧ୍ୟରେ ଚୀନରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସମ୍ଭାବ୍ୟ ଚତୁର୍ଥ ଲହର ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତାଙ୍କ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂର୍ବ ସଂକ୍ରମଣ ସମୟରେ ପାଞ୍ଚ ସୂତ୍ରୀ ରଣନୀତି ତଥା ଟେଷ୍ଟିଙ୍ଗ, ଟ୍ରାକିଂ, ଟ୍ରିଟମେଣ୍ଟ, ଟିକାକରଣ ଏବଂ କୋଭିଡ ନିୟମ ପାଳନ କରିବା ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ। ସେ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀ ଏବଂ ବିଭାଗଗୁଡିକ ଏହି ପାଞ୍ଚଟି ରଣନୀତିକୁ ସଠିକ୍ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ସେହିଭଳି ଚୀନରେ ବୃଦ୍ଧି ପାଉଥିବା ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରମାନଙ୍କୁ ମଧ୍ୟ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୪୯ ଛୁଇଁଛି । ତେବେ ସକ୍ରିୟ ମାମଲା ହ୍ରାସର ଅର୍ଥ ହେଉଛି କରୋନା ସଂକ୍ରମିତ ରୋଗୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି |

ସୂଚନା ଅନୁଯାୟୀ, ଗତ କିଛି ସପ୍ତାହ ଧରି ଚୀନ୍‌ରେ ସଂକ୍ରମଣର ମାମଲା ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ମାର୍ଚ୍ଚ ୧୪ରେ ଚୀନ୍‌ରେ ୩୬ ଜଣଙ୍କଠାରେ ଏହି ସଂକ୍ରମଣ ନିଶ୍ଚିତ ହୋଇଥିଲା, ଯାହା ଫେବୃଆରୀ ୨୦୧୦ ଠାରୁ ସର୍ବାଧିକ ଅଟେ। ଫେବୃଆରୀ ୨୦ ରୁ ଚୀନ୍‌ରେ ଦୈନିକ ମାମଲା ବୃଦ୍ଧି ପାଉଛି | ଯଦି ଆପଣ ଗତ ୫ ଦିନର ଆକଳନକୁ ଦେଖନ୍ତି, ତେବେ ସେଠାରେ ପ୍ରତିଦିନ ୧୦୦୦ ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି |

ଅନ୍ୟପକ୍ଷେ ଗୁରୁବାର ଦିନ ଦକ୍ଷିଣ କୋରିଆରେ ୬ଲକ୍ଷ ୨୧ ହଜାର ୩୨୧ ନୂଆ ମାମଲା ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ, ବିଶ୍ୱର କୌଣସି ଦେଶରେ ଗୋଟିଏ ଦିନରେ ଏତେ ଅଧିକ ମାତ୍ରାରେ କରୋନା ସଂକ୍ରମଣର ଘଟଣା ରିପୋର୍ଟ ହୋଇନାହିଁ | ଗୁରୁବାର ଦେଶରେ ଗୋଟିଏ ଦିନରେ ୬ ଲକ୍ଷ ନୂଆ କୋଭିଡ ଚିହ୍ନଟ ହେବା ପରେ ପରିସ୍ଥିତି ଜଟିଳ ହୋଇପଡିଛି। ସେହିଭଳି କରୋନା ଯୋଗୁ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି। ହଙ୍ଗକଙ୍ଗ, ସିଙ୍ଗାପୁରରେ ମଧ୍ୟ ବର୍ତ୍ତମାନ ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି ।