ଭୁବନେଶ୍ୱର: ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ବୁଧବାର ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି ।ନବନିଯୁକ୍ତ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶ କ୍ରମେ,କୋଭିଡ୍ ଦୃଷ୍ଟିରୁ ପୂର୍ବ ଅଧିବେଶନଗୁଡ଼ିକରେ ଗୃହକାର୍ଯ୍ୟ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଥିବାବେଳେ ଗୃହରେ ଆଲୋଚନା ପାଇଁ ଅପରାହ୍ନ ଅଧିବେଶନ ଗୁଡ଼ିକୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚଳିତଥର ମଧ୍ୟ କୋଭିଡ୍ କଟକଣାରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ରୁ ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବା ପାଇଁ ବାଚସ୍ପତି ଶ୍ରୀ ଆରୁଖ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ।
ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ୟ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏଥର କରୋନା କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ ସଚେତକ କହିଛନ୍ତି ବର୍ତ୍ତମାନ କୋଭିଡ ବଢ଼ୁଥିବାରୁ ରିସ୍କ ନେଇ ହେବନି । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି। କୋଭିଡ କଟକଣା ଭିତରେ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ।