ବସ୍ତା : ବିବାଦୀୟ ଯଲିଉଡ ଖଳ ନାୟକ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଉପୁଜି ଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚଳିତ ଯାତ୍ରା ଋତୁ ଆରମ୍ଭରେ ବାଲିଆପାଳର ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହବାହିନୀ ବାଲେଶ୍ଵର ଜିଲ୍ଲା ବସ୍ତାରେ ତାର ପେଣ୍ଡାଲ ଶୁଭାରମ୍ଭ କରିଛି। ସୋମବାର ଯାତ୍ରା ଶୁଭାରମ୍ଭ ଉଦ୍ଘାଟନି କାର୍ଯକ୍ରମରେ ଅତିଥି ଭାବେ ଜଳେଶ୍ଵର ଏସଡିପିଓ ସୁବ୍ରତ କୁମାର ବେହେରା, ଉତ୍ତର ବାଲେଶ୍ଵର ବିଜେପି ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ଯାତ୍ରା ଅନୁଷ୍ଠାନର ମାଲିକ ସଞ୍ଜୀବ ପାଢ଼ୀ ପ୍ରମୁଖ ଯୋଗ ଦେଇ ଫିତା କାଟିବା ସହିତ ଷ୍ଟେଜ ଉପରେ କେକ୍ କାଟି ଯାତ୍ରାମଞ୍ଚକୁ ଉଦ୍ଘାଟନ କରିଥିଲେ। ।

ପ୍ରକାଶ ଥାଉକି ଚଳିତ ଯାତ୍ରା ଋତୁ ଆରମ୍ଭ ହେବ ପୂର୍ବରୁ ଓଡ଼ିଶା ଯାତ୍ରା ଜଗତରେ କଳାକାର ଓ ଯାତ୍ରା ମାଲିକ ଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ବିଶେଷ କରି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଓ ସିଂହ ବାହିନୀ ମାଲିକ ସଞ୍ଜୀବ ପାଢ଼ୀଙ୍କ ବିବାଦ ଯାତ୍ରା ଇଣ୍ଡଷ୍ଟ୍ରିକୁ ଏକ ଭିନ୍ନ ମୋଡକୁ ନେଇ ଆସିଥିଲା। ଶେଷରେ ମାଲିକ ଶ୍ରୀ ପାଢ଼ୀ, ପୀୟୂଷ ତ୍ରିପାଠୀ ସିଂହବାହିନୀରେ ଅଭିନୟ କରିବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ବିବାଦ ପରେ ଯାତ୍ରା ସିଂହବାହିନୀ, ବସ୍ତାର ପ୍ରଥମ ରଜନୀରେ ପୀୟୂଷ ଆସିବା ନେଇ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିବା ପରେ ସମସ୍ତ ଟିକେଟ ବିକ୍ରି ସରିଥିଲା। ପୀୟୂଷ ଆସିବା ନେଇ ଦର୍ଶକଙ୍କ ମଧ୍ୟର ଉତ୍କଣ୍ଠା ଥିବା ବେଳେ, ମେଲୋଡି କାର୍ଯ୍ୟକ୍ରମ ମଝିରେ ପୀୟୂଷ ଷ୍ଟେଜକୁ ଆସି ନିଜର ଅଭିନୀତ କିଛି ଯାତ୍ରା ଡ଼ାଇଲୋଗରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ମାତ୍ର ସେ ଯାତ୍ରାରେ ଅଭିନୟ କରିନଥିଲେ। ତେବେ ଖୁବ୍ ଶୀଘ୍ର ଅଭିନୟ କରିବେ ବୋଲି ଯାତ୍ରା ଅନୁଷ୍ଠାନ ଘୋଷଣା କରିଥିଲା । ପୀୟୂଷ ବିବାଦରେ ଯବନିକା ପଡ଼ିବାକୁ ଯାଉଥିବା ବେଳେ, କେବେ ସେ ଯାତ୍ରା ମଞ୍ଚରେ ଅଭିନୟ କରୁଛନ୍ତି ତାହା ସମସ୍ତଙ୍କ ଅପେକ୍ଷା ।
