କଂଗ୍ରେସ ପାଇବ ଅଣଗାନ୍ଧି ସଭାପତି

ବ୍ୟୁରୋ :ଦୁଇ ଦଶନ୍ଧି ପରେ କଂଗ୍ରେସ ନିଜର ପ୍ରଥମ ଅଣ-ଗାନ୍ଧୀ ସଭାପତି ହେବାକୁ ଯାଉଛି । ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ସକାଳ ୧୦ଟାରୁ ୪ଟା ପର୍ୟ୍ୟନ୍ତ କଂଗ୍ରେସ ର ୯ ହଜାର ସଦସ୍ୟ ମତଦାନ କରିବେ । ତେବେ ଏହି ନିର୍ବାଚନରେ ଏଆଇସିସି ଓ ପିସିସି ସଦସ୍ୟ ମାନେ ମତଦାନ କରିବାର ବ୍ୟବସ୍ଥା ହୋଇଛି । ନିର୍ବାଚନ ପାଇଁ ୩୬ଟି ପୋଲିଂ ଷ୍ଟେସନ ୬୭ ଟି ବୁଥ ବ୍ୟବସ୍ଥା ହୋଇଥିବା ସେଣ୍ଟ୍ରାଲ ଇଲେକ୍ସନ ଅଥରିଟି ସୂଚନା ଦେଇଛନ୍ତି । ୨ ଶହ ଭୋଟ୍ ପାଇଁ ଗୋଟିଏ ବୁଥ୍ ହୋଇଛି ।
ନିର୍ବାଚନରେ କଂଗ୍ରେସ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି । ରାଜ୍ୟସଭା ନେତା ଏବଂ ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ରହିଆସିଥିବା ୮୦ ବର୍ଷୀୟ ଖଡ୍ଗେଙ୍କ ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟକୁ ନେଇ ତାଙ୍କ ପ୍ରତି ଦଳୀୟ ହାଇକମାଣ୍ଡଙ୍କ ଆଶୀର୍ବାଦ ରହିଛି। ତେଣୁ ତାଙ୍କ ପ୍ରତି ଯୁବ ଏବଂ ପ୍ରାପ୍ତ ବୟସ୍କ ନେତାଙ୍କ ସମର୍ଥନ ରହିବା ସ୍ବାଭାବିକ କଥା। କିନ୍ତୁ ତିନି ତିନିଥର ଲୋକସଭା ସାଂସଦ ରହି ଆସିଥିବା ୬୬ ବର୍ଷୀୟ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର ଏହି ନିର୍ବାଚନକୁ ନେଇ କିଛି ଭିନ୍ନ ଆଭିମୁଖ୍ୟ ରଖିଛନ୍ତି। ତେବେ ନିର୍ବାଚନ ପରେ ଦଳର ଭିବଷ୍ୟତ କିଭଳ ରହିବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

କଂଗ୍ରେସରେ ଶେଷ ନିର୍ବାଚନ ୨୦୦୦ ମସିହାରେ ରେ ହୋଇଥିଲା ସେତେବେଳେ ସୋନିଆ ଗାନ୍ଧୀ୭,୭୦୦ ଭୋଟ ରୁ ୭,୪୪୮ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜିତେନ୍ଦ୍ର ପ୍ରସାଦ ମାତ୍ର ୯୪ ଭୋଟ ପାଇବାରେ ସଫଳ ହୋଇଥିଲେ। ଜିତେନ୍ଦ୍ରଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ ସୋନିଆ ଗାନ୍ଧୀ। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା ଅକ୍ଟୋବର ୧୯ ରେ ଦିଲ୍ଲୀରେ ହେବ। ଯାହାକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ରହିଛନ୍ତି ଦଳ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରହିଆସିଥିବା ଦୀର୍ଘ ଅସନ୍ତାଷ ଦୂର ହେବ ବୋଲି ଆଶା କରାଯାଉଛି।