ନୂଆଦିଲ୍ଲୀ: ଭିବି-ଜି ରାମ୍ ଜି ଆଇନ ପ୍ରତିବାଦରେ ବିକ୍ଷୋଭ କରିବ କଂଗ୍ରେସ । ସାରା ଦେଶରେ ବିକ୍ଷୋଭ କରିବା ନେଇ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଘୋଷଣା । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ୫ ଜାନୁଆରୀ ୨୦୨୬ରୁ “ମନରେଗା ବଚାଓ” ଆନ୍ଦୋଳନ ଆରମ୍ଭ କରିବା ପାଇଁ ଏକ ସଂକଳ୍ପ ନେଇଛୁ । ସଡକଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ।

ଖଡ୍ଗେ ଆହୁରି କହିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନରେ ମନରେଗାକୁ ଉଚ୍ଛେଦ କରି, ମୋଦି ସରକାର ଲକ୍ଷ ଲକ୍ଷ ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଃସହାୟ କରିଦେଇଛନ୍ତି । ଗରିବଙ୍କ ପେଟରେ ଲାତ ମାରିବା ସହିତ, ମୋଦି ସରକାର ସେମାନଙ୍କ ପିଠିରେ ଛୁରୀ ମାରିଛନ୍ତି । ମନରେଗାକୁ ଉଚ୍ଛେଦ କରିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ । ବିନା ପରାମର୍ଶରେ ଏକପାଖିଆ ନିଷ୍ପତ୍ତି ଭିବି-ଜି ରାମ୍ ଜି ଆଇନ । ବିହାର ନିର୍ବାଚନ ଶେଷ ହେବା ପରେ ଆଜି ପ୍ରଥମ ଥର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସିଛି । ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଶଶୀ ଥରୁର, ରାଜୀବ ଶୁକ୍ଳା, ଭୂପେସ ବାଘେଲ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ସିଦ୍ଧରମୟା ପ୍ରମୁଖ ନେତା ଉପସ୍ଥିତ ରହିଥିଲେ ।