‘ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ଵର: ‘ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି । ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି । ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି । ଵିଭୀଷଣ ଭଗବାନଙ୍କ ଶରଣରେ ଥିଲେ, କଥା ଛଳରେ ମୁଁ କହିଥିଲି । ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ, କଂଗ୍ରେସ ରିଭାଇଭ୍‌ କରୁଛି । ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର, ମୋର କିଛି ହେବ ନାହିଁ । କିଏ ଚାହିଁବ ମୁଁ କାହାର ଗୁଲାମ ହୋଇ କାମ କରିବି, ସେମିତି ହେବ ନାହିଁ ବୋଲି କହିଛନ୍ତି ଭକ୍ତ । ସେହିପରି ପିସିସି ସଭାପତି ହଟାଅ ଅଭିଯାନ ନେଇ ମଧ୍ୟ ମତ ରଖିଛନ୍ତି ଭକ୍ତ । ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପ୍ରତିଯୋଗିତା ହେଲେ ଚଳିବ । ଏବେ ସେଭଳି ସମୟ ଆସି ନାହିଁ, ଏହା ହେଉଛି ଏକ ଆରମ୍ଭ ମାତ୍ର ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ସୂଚନାଯୋଗ୍ୟ ଯେ, ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି । କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ଏହି ‘ବିଭୀଷଣ’ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସରେ ଝଡ଼ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ ।