ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅନାସ୍ଥା ନୋଟିସ୍ ଦାଖଲ କରାଯାଇଛି। କଂଗ୍ରେସ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଏହି ନୋଟିସ୍ ଦେଇଥିବା ସୂଚନା ମିଳିଛି। ଲୋକସଭାର କାର୍ଯ୍ୟଚାଳନା ସମୟରେ ପକ୍ଷପାତିତା ଅଭିଯୋଗ ଆଣି କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ବିରୋଧୀ ଦଳର ସାଂସଦମାନଙ୍କୁ ନିଜ ମତ ରଖିବାକୁ ସଠିକ୍ ସୁଯୋଗ ଦିଆଯାଉନଥିବା ଅଭିଯୋଗ ମଧ୍ୟ ହୋଇଛି।
ସୂଚନା ଅନୁଯାୟୀ, ଏହି ଅନାସ୍ଥା ପ୍ରସ୍ତାବକୁ ୧୧୮ ଜଣ ସାଂସଦ ସମର୍ଥନ କରିଛନ୍ତି। ନିୟମ ୯୪(ସି) ଅନୁଯାୟୀ ୧୦୦ରୁ ଅଧିକ ସାଂସଦଙ୍କ ସ୍ୱାକ୍ଷର ସହ ଏହି ପ୍ରସ୍ତାବ ଦାଖଲ କରାଯାଇଛି। ତେବେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏହି ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିନଥିବା ଜଣାପଡ଼ିଛି। ଟିଏମସି ନେତାଙ୍କ କହିବା ଅନୁଯାୟୀ, ସେମାନେ ସଂସଦ ସୁଚାରୁ ଭାବେ ଚାଲିବାକୁ ଦେବା ପକ୍ଷରେ ଅଛନ୍ତି। ଏହି ଅନାସ୍ଥା ପ୍ରସ୍ତାବକୁ ସାଂସଦ ଗୌରବ ଗୋଗୋଇ, କେ. ସୁରେଶ ଓ ମହମ୍ମଦ ଜାଭେଦ ଆଗତ କରିଥିବା ସୂଚନା ମିଳିଛି। ଏହି ଘଟଣାକୁ କେନ୍ଦ୍ର କରି ଦିଲ୍ଲୀର ରାଜନୈତିକ ପରିବେଶ ଅଧିକ ସରଗରମ ହୋଇଉଠିଛି।