ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଇଛି। ଏନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ, ସୋମବାର ତାଙ୍କର ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା। ଏକ କମନ୍ କ୍ୟାଣ୍ଡିଡେଟ୍ ନେଇ ଦୁହେଁଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ନବୀନ ବାବୁ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଓ ଉଚିତ ପଦକ୍ଷେପ ନେଇଥିବା ସେ ମତ ପ୍ରକାଶ କରିଛନ୍ତି।
ପିସିସି ସଭାପତିଙ୍କ କହିବା ଅନୁସାରେ, କମନ୍ କ୍ୟାଣ୍ଡିଡେଟ୍ ଦେବା ନବୀନ ବାବୁଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଡା. ଦତ୍ତେଶ୍ୱର ହୋତା ଜଣେ ଯୋଗ୍ୟ ପ୍ରାର୍ଥୀ ଓ ସେ ଭଲ କାମ କରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ଦତ୍ତେଶ୍ୱର ବାବୁ ମଧ୍ୟ ତାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ସେ ଆହୁରି କହିଛନ୍ତି ଯେ, ଦଳ ପକ୍ଷରୁ ଟେକ୍ନିକାଲ ଭାବେ ଚିନ୍ତା କରାଯାଉଛି, ଯାହାଦ୍ୱାରା କମନ୍ କ୍ୟାଣ୍ଡିଡେଟ୍ ଉପରେ କୌଣସି ପ୍ରେସର ନପଡ଼ିବ ଓ ସେ ପ୍ରତ୍ୟାହାର ନକରନ୍ତୁ। ଏନେଇ କୌଣସି ପ୍ରିକସନ୍ ନେବାକୁ ପଡ଼ିବ ସେଥି ପାଇଁ ଆସନ୍ତା ମିଟିଂରେ ଆଲୋଚନା ହେବ ବୋଲି ସେ କହିଛନ୍ତି।