ଭୁବନେଶ୍ଵର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ AI କ୍ୟାମେରା ଓ ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଲେ ପୋଲିସ କମିଶନର । ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା ସୁରକ୍ଷା । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ସଶସ୍ତ୍ର ପୋଲିସ ବାହିନୀ । କଟକ-ଭୁବନେଶ୍ୱରରେ ମୁତୟନ ହେବେ ସାଧା ପୋଷାକରେ ପୋଲିସ । ଏନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ତେବେ କହିରଖୁଛୁ ଯେ, ଆସନ୍ତା ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମପନ୍ଥୀ ଦଳ ସମେତ ୭ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦ ଡାକରାରେ ଯୋଗ ଦେବେ । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ମିଳିତ ବିରୋଧୀ ଦଳ ପକ୍ଷରୁ ଘୋଷଣା କରାଯାଇଛି ।