ହୋଲି ପାଇଁ ରାଜଧାନୀରେ କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି, ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡିଶାରେ ହୋଲି ଉତ୍ସବ ପାଳନ ହେଉଛି । ରଙ୍ଗ ଆନନ୍ଦ ଉଲ୍ଲାସର ପର୍ବକୁ ନେଇ ପଲ୍ଲୀରୁ ଦିଲ୍ଲୀ ଉତ୍ସବ ମୁଖର ।ତେବେ ଆଜି କରୋନା କଟକଣା ଭିତରେ ପାଳନ ହେବ ହୋଲି । ଅନ୍ୟପକ୍ଷେ ଓଡିଶାରେ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି ।

ଅନ୍ୟପକ୍ଷେ ହୋଲି ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ସୂଚନା ଅନୁଯାୟୀ, ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ଏଥିସହ ପେଟ୍ରୋଲିଂ କରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ । ସେହିଭଳି ହୋଲି ଖେଳ ସମୟରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ତଥା ଅସଦାଚରଣ କ୍ଷେତ୍ରରେ ଆକ୍ସନ ନେବ ପୋଲିସ । ରାସ୍ତାରେ ହୋଲି ଖେଳିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ରାଜ୍ୟ ସରକାର ଧୀରେ ଧୀରେ କଟକଣା ହଟେଇବାରେ ଲାଗିଛନ୍ତି । ତେବେ ମାର୍ଚ୍ଚ ମାସ ପାଇଁ ଜାରି ଗାଇଡଲାଇନରେ ଚଳିତ ବର୍ଷ ସାର୍ବଜନୀନ ସ୍ଥାନରେ ‘ହୋଲି ଖେଳ’ ଉପରେ କଟକଣା ଜାରି କରିଛନ୍ତି। ସୂଚନାନୁସାରେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଫେବୃୟାରୀ ୨୮ତାରିଖରେ ମାର୍ଚ୍ଚ ପାଇଁ ଜାରି କୋଭିଡ୍ ଗାଇଡଲାଇନରେ ଚଳିତବର୍ଷ ହୋଲି ରାଜ୍ୟବ୍ୟାପୀ ସର୍ବସାଧାରଣ ସ୍ଥାନରେ ବା ରାସ୍ତାରେ ପାଳନ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିବା ସହ ଲୋକେ ନିଜ ପରିବାର ସଦସ୍ୟଙ୍କ ସହିତ ଘର ଭିତରେ ହୋଲି ଖେଳି ପାରିବେ ବୋଲି ଜଣାପଡିଛି ।