ଥରୁଛି ପୁରା ଓଡିଶା, ୧୨ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ଵର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି । ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏଁ ଜାରି ରହିବ ଶୀତ ଲହରି । ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ୪.୩, ସେମିଳିଗୁଡ଼ା ୪.୬, ଫୁଲବାଣୀ ୭.୨, ଝାରସୁଗୁଡ଼ା ୭.୪, ଦାରିଙ୍ଗବାଡ଼ି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୁଳ ୮.୮, କିରେଇ ୮.୯, ଭବାନୀପାଟଣା ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର କହିବା ଅନୁସାରେ, ରାଜ୍ୟକୁ ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ହେବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭିବାକ ତୁଳନାରେ କମ୍‌ ରହିଛି। ଆସନ୍ତା ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌ ରହିଥିବା ବେଳେ ଶୀତର ପ୍ରଭାବ ପ୍ରାୟତଃ ଜାରି ରହିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପରବର୍ତ୍ତୀ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷକରି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଦୁଇ ଦିନ ଶୀତ ଲହରୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହି ଦୁଇ ଦିନରେ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଆଶଙ୍କା କରାଯାଇଛି।