ବଢ଼ିବାରେ ଲାଗିଛି ଶୀତର ପ୍ରକୋପ, ୨୩ଟି ସ୍ଥାନରେ ୧୦ ଡିଗ୍ରୀରୁ ତଳକୁ ଖସିଲା ପାରଦ

ଭୁବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୩ଟି ସ୍ଥାନରେ ୧୦ ଡିଗ୍ରୀରୁ ତଳକୁ ଖସିଲା ପାରଦ । ଆହୁରି ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରାଜ୍ୟର ଅନେକାଂଶରେ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୁଖିଲା ବାୟୁ ପ୍ରବାହ ଯୋଗୁଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ପର୍ବତାଞ୍ଚଳ ମଧ୍ୟରେ ଜି. ଉଦୟଗିରିରେ ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା । ସେହିପରି ସେମିଳିଗୁଡ଼ା ଠାରେ ୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି, ରାଉରକେଲା ଠାରେ ୫.୧ ଡିଗ୍ରୀ ସେଲସିୟସ୍ , ଝାରସୁଗୁଡ଼ାରେ ୫.୪ ଡିଗ୍ରୀ ସେଲସିୟସ୍ ଓ ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ କରାଯାଇଛି ।