କୋଇଲା ଦୁର୍ନୀତି ମାମଲା: ରୁଜିରାଙ୍କ ବିଦେଶ ଯାତ୍ରା ଉପରେ ନିଷେଧାଜ୍ଞା ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

କୋଲ୍କାତା: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ଇମିଗ୍ରେସନ୍ ଅଥରିଟି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକାଇଛନ୍ତି। ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ରୁଜିରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦେଶାଳୟ ଲୁକ୍-ଆଉଟ୍ ସର୍କ୍ୟୁଲାର୍ ଜାରି କରିଥିଲା। ଏହି ସର୍କ୍ୟୁଲାରରେ ତାଙ୍କ ବିଦେଶ ଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯାଇଛି।

ସୂଚନା ଅନୁସାରେ, ରୁଜିରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ସମନ୍ ଜାରି କରିଛି ଏବଂ ୨ ଦିନ ପରେ ତାଙ୍କୁ ଜେରା କରାଯିବ ବୋଲି ଅବଗତ କରାଇଛି। କିନ୍ତୁ, ସେ ଆଜି ଦୁବାଇ ଯିବା ଲାଗି ବିମାନ ଧରିବା ପାଇଁ ଦମ୍ଦମ୍ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଇମିଗ୍ରେସନ୍ ଅଥରିଟିମାନେ ଅଟକାଇବା ସହିତ ବିମାନ ଚଢ଼ାଇ ଦେଇ ନ ଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଜାରି କରାଯାଇଥିବା ଲୁକ୍-ଆଉଟ୍ ସର୍କୁଲାର୍ ସକ୍ରିୟ ଥିବାରୁ ରୁଜିରାଙ୍କୁ ଅଟକାଯାଇଛି। ପୂର୍ବରୁ ମଧ୍ୟ ରୁଜିରା ବାନାର୍ଜୀଙ୍କୁ କେନ୍ଦ୍ରୀୟ ଏଜେନ୍ସି ଜେରା କରିଛି। ୨୦୨୦ରେ ସିବିଆଇ ଫାଇଲ୍ କରିଥିବା ଏଫ୍ଆଇଆର୍ ସହିତ ପ୍ରବର୍ତ୍ତନ ନିର୍ଦେଶାଳୟର ଏହି ତଦନ୍ତରେ ସମ୍ପୃକ୍ତି ରହିଛି।