ଆଜି ପୁଣି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ଵର: ରାତି ପାହିଲେ ଉପରାଷ୍ଟ୍ରପତି ନିର୍ବାଚନ । ଏହାକୁ ନେଇ ଦିଲ୍ଲୀ ରାଜନୀତି ହଲଚଲ ହେବାରେ ଲାଗିଛି । ଏହାରି ଭିତରେ ଗତକାଲି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ଆଜି ପୁଣି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ଦିଲ୍ଲୀରେ ସାଂସଦ ମାନଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି। ଦଳର ସମସ୍ତ ସାଂସଦଙ୍କ ସହ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହା ସହ ସାଂଗଠନିକ ଚର୍ଚ୍ଚା ବି ହୋଇପାରେ। ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହ ବୋର୍ଡ ନିଗମରେ ନିଯୁକ୍ତି ନେଇ ଚର୍ଚ୍ଚା ଚାଲିଥିବାରୁ ଏହି ଗସ୍ତ ବି ବେଶ ଗୁରୁତ୍ଵ ରଖୁଛି।

କହିରଖୁଛୁ ଯେ,  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ୫ତାରିଖରେ ଦିଲ୍ଲୀରୁ ଫେରିଥିଲେ। ଏହି ଗସ୍ତକାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ। ଏଗସ୍ତ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ନୂଆଦିଲ୍ଲୀଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।