ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ । ଶିକ୍ଷା କ୍ଷେତ୍ରରେ ଦୁଇଟି କଥାକୁ ବଡ଼ ଆହ୍ବାନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ । ଦ୍ୱିତୀୟ ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥାକୁ ଚିନ୍ତାଜନକ କହିଲେ ମୁଖ୍ୟମନ୍ତ୍ରୀ । ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ ମିଳୁଛି । ଏହା ଚିନ୍ତାଜନକ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ତଥ୍ୟ ଅନୁସାରେ ୨୪% ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି । ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କଲୁ । ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଫଳରେ ଡ୍ରପ୍ ଆଉଟ୍ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି । ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ଼ ଆହ୍ବାନ, ବିଶେଷକରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ । ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ । ତେବେ ଏଗୁଡିକ ଚୁକ୍ତିଭିତ୍ତିକ ନୁହେଁ ବରଂ ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି, ଏଣିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୋଟିଏ ବୋର୍ଡରେ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ । ଛାତ୍ର ଓ ଶିକ୍ଷକଙ୍କ ଯାହା ସମସ୍ୟା ଥିବ ତାକୁ ସମାଧାନ କରିବ ଏହି ବୋର୍ଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।