ଓଡ଼ିଶା ଭବନରେ ରହିବ ଓଡ଼ିଆ ଐତିହ୍ୟର ଝଲକ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ୪୭୬୧ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ ଓଡ଼ିଶା ଭବନ । ୭ ମହଲା ବିଲ୍ଡିଂରେ ମୋଟ୍ ୪୫ କୋଠରୀ ରହିବ । ବିଲ୍ଡିଂରେ ରହିବ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ । ଆଉ ୩ ସହରରେ ଓଡ଼ିଶା ଭବନ ନିର୍ମାଣ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡ଼ିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ। ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୪,୭୬୧ ବର୍ଗ ମିଟର ପରିମିତ ଅଞ୍ଚଳରେ ଏହି G+୬ ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍‌ ଉପଲବ୍ଧ ହେବ। ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସେହିପରି ମୁମ୍ବାଇକୁ ଯେହେତୁ ଓଡ଼ିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରି ବ୍ୟବସ୍ଥା କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଓଡ଼ିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଭକ୍ତ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୋଲକାତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।