କଟକ: ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଥିବା ଦୁଇ କଏଦୀଙ୍କ ମଧ୍ୟରୁ ଜଣେ କୁଖ୍ୟାତ ଅପରାଧୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି ଓଡ଼ିଶା ପୋଲିସ। ଏନେଇ ପୋଲିସ କମିଶନରଙ୍କ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଅକ୍ଟୋବର ୩ ତାରିଖ ରାତିରେ ଚୌଦ୍ବାର ଜେଲ୍ରୁ ଦୁଇ କଏଦୀ ଚମ୍ପଟ୍ ମାରିଥିଲେ। ପରେ ସେମାନେ ପୁରୀକୁ ପଳାଇ ଯାଇଥିଲେ ଏବଂ ତାହାର ପରବର୍ତ୍ତୀ ଦିନ ପୁରୀରୁ ଟ୍ରେନ୍ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ମଧୁକାନ୍ତ ରାଣା ବୃନ୍ଦାବନର ଏକ ଗେଷ୍ଟ ହାଉସ୍ରେ ‘ବାସୁ ପାଣ୍ଡେ’ ଛଦ୍ମନାମରେ କାମ କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି।

ଅନ୍ୟ ଚମ୍ପଟ୍ କଏଦୀ ରାଜା ସାହାଣୀ ଏପର୍ଯ୍ୟନ୍ତ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ୬ଟି ବିଶେଷ ଦଳରେ ୨୬ ଜଣ ପୋଲିସ ଅଧିକାରୀ ବିଭିନ୍ନ ରାଜ୍ୟରେ ଖୋଜାଖୋଜି ଜାରି ରଖିଥିଲେ। ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ଦୁଇ କଏଦୀଙ୍କୁ ପଳାଇବାରେ ଯଦି କାହାର ସହଯୋଗ ଥିବାର ପ୍ରମାଣ ମିଳିବ, ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି।