ବିରି ମାଡ଼ରେ କୋଳଥ ଚେପା…ବିଧାୟକ ଖାଇଲେ ନିର୍ଧୁମ ଛେଚା, ଘଟଣାରେ ବର୍ଷିଲେ ୩ ଦଳର ନେତା

ଭୁବନେଶ୍ୱର: ବାଣପୁର ବର୍ବରୋଚିତ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି ।ଆଜି ପ୍ରାୟ ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଚଢାଇ ଦେଇଥିଲେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ତେବେ ଏହି ଲୋମହର୍ଷଣକାରୀ ଘଟଣାରୁ ସାଧାରଣ ଜନତା ତ ଛାଡ ଥାନାଅଧିକାରୀ ମଧ୍ୟ ଏଥିରୁ ବାଦ୍‌ ପଡି ନଥିଲେ । ପରିସ୍ଥିତି ଏପରି ଉଗ୍ରରୂପ ଧାରଣା କରିଥିଲା କି ବିଧାୟକ ଏହିଭଳି ଘଟଣା ଘଟାଇବା ପରେ ତାତି ଥିଲେ ସାଧାରଣ ଲୋକ ଏବଂ ବିଧାୟକଙ୍କୁ ନିର୍ଧୁମ ଛେଚିବା ସହ ତାଙ୍କ ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରି ଦେଇଥିଲେ ।

  • ଘଟଣା ଘଟାଇବା ପରେ ବିଧାୟକଙ୍କ ଅବସ୍ଥା, ବିରି ମାଡ଼ରେ କୋଳଥ ଚେପା…

ଏହି ଘଟଣାରେ ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଧାୟକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଣପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେ ଏବେ ବାଣପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଛି ।ଅନ୍ୟପକ୍ଷେ, ବିଧାୟକଙ୍କ ଏହି ନିନ୍ଦନୀୟ କାର୍ଯ୍ୟକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଆଜି ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ।

  • ବିଜେଡିର ପ୍ରତିକ୍ରିୟା, ” ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ “

ସସ୍ମିତ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ପ୍ରଶାନ୍ତ ଜଗଦ୍ଦେବ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷଣକାରୀ ଘଟଣା ଅଟେ । ଏଭଳି ବିଭତ୍ସ ଘଟଣା ଘଟାଇ ପ୍ରଶାନ୍ତ ଜଗଦ୍ଦେବ କରିଥିବା କାର୍ଯ୍ୟ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି । ଆଶା କରୁଛୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଆହୁରିମଧ୍ୟ କହିଛନ୍ତି, ପୂର୍ବରୁ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ।

  • ବିଜେପିର ପ୍ରତିକ୍ରିୟା, “ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ”

ସେହିଭଳି ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜଣେ ଜନପ୍ରତିନିଧି ଭାବରେ ଏଭଳି ନୃଂଶସ କାଣ୍ଡ ଘଟାଇବା କଳ୍ପନାର ବାହାରେ । ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଜେଲର ଚାରିକାନ୍ଥ ମଧ୍ୟକୁ ପଠାଯାଉ ବୋଲି ସେ କହିଛନ୍ତି । ଓଡ଼ିଶାରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଜଣେ ଅମଣିଷ, ଅଯୋଗ୍ୟ ମଣିଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

  • କଂଗ୍ରେସର ପ୍ରତିକ୍ରିୟା, ” ଜଗଦେବ ଏକ ଅଭ୍ୟାସଗତ ଅପରାଧୀ “

ଅନ୍ୟପକ୍ଷେ, କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଜଗଦେବ ଏକ ଅଭ୍ୟାସଗତ ଅପରାଧୀ , “ବିଧାୟକଙ୍କ ବିରୋଧରେ ଏପରି ଅନେକ ଅପରାଧିକ ମାମଲା ରହିଛି। ଏହି ପ୍ରକାର ଆଚରଣ ନିର୍ବାଚିତ ଲୋକ ପ୍ରତିନିଧୀଙ୍କୁ ଶୋଭା ଦେଉନାହିଁ ।” ସେହିଭଳି କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ ମଧ୍ୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ଚଢାଇ ଦେବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ଅପରାଧ । ଆଇନ ଅନୁଯାୟୀ ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାସ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ । ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ ।

ଅନ୍ୟପଟେ ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୭ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୯ ଜଣ ପୋଲିସ କର୍ମଚାରୀ, ୧୫ ଜଣ ବିଜେପି କର୍ମୀ, ଜଣେ ବିଜେଡି କର୍ମୀ, ୨ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଥିବା  ଲୋକଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବାଣପୁରରେ ପହଁଛି ସ୍ଥିତି ଉପରେ ନଜର ରଖିଛନ୍ତି  । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୂର୍ବରୁ ପ୍ରଶାନ୍ତଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏପରିକି ଏହି ବାହୁବଳୀ ନେତା ଜେଲ ମଧ୍ୟ ଯାଇଥିଲେ ।