ଭୁବନେଶ୍ଵର: ହରଡ଼ ଘଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ହସ୍ପିଟାଲରୁ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ପୋଲିସ୍ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦେବା ମାମଲାରେ ପୋଲିସ୍ ତାଙ୍କୁ ଗିରଫ କରିଛି । ପ୍ରଶାନ୍ତଙ୍କୁ ଏବେ ଭୁବନେଶ୍ୱର କୋର୍ଟରେ ହାଜର କରିବ ପୋଲିସ୍ । ତେବେ ତାଙ୍କ ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ତାଙ୍କୁ ଆଜି ସ୍ୱତନ୍ତ୍ର ପୋଲିସ ଟିମ୍ ତତ୍ୱାବଧାନରେ ହସ୍ପିଟାଲରୁ ସ୍ଥାନାନ୍ତରଣ କରାଯାଇଥିଲା । ତେବେ ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଉପରେ ଗାଡି ଚଢାଇ ଦେଇଥିଲେ ଏହି ବାହୁବଳୀ ନେତା ।

ତେବେ ଏଥିରେ ପ୍ରାୟ ୧୫ ବିଜେପି କର୍ମୀ ଆହତ ହୋଇଥିବା ସମୟରେ ଏଥିରୁ ବାଦ୍ ପଡ଼ି ନଥିଲେ ଥାନାଧିକାରୀ ଏବଂ ସାଧାରଣ ଜନତା । ଘଟଣା ସ୍ଥଳରେ ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।ଘଟଣାରେ ପୋଲିସ, ସାମ୍ବାଦିକ, ସାଧାରଣ ଜନତା ଏଭଳି ୨୫ଜଣ ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ଉତ୍ୟକ୍ତ ଜନତା ରାଗର ଶିକାର ହୋଇଥିଲେ ବିଧାୟକ । ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରି ଦେଇଥିଲେ ସାଧାରଣ ଜନତା । ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ସେ ଆହତ ହୋଇଥିବାରୁ ଡାକ୍ତରଖାନାରେ ତାଙ୍କ ଚିିକିତ୍ସା ଚାଲିଥିଲା । ଆଜି ତାଙ୍କୁ ଡାକ୍ତରଖାନାରୁ ସ୍ଥାନାନ୍ତରଣ କରି ଜେଲକୁ ପଠାଯିବ ।