ଭୁବନେଶ୍ୱର: ସମ୍ବଲପୁର ଗସ୍ତରେ ଯାଇ ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି 5T ସଚିବ । ଆଜି ସକାଳୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ୱରେ ସଚିବ ସ୍ତରୀୟ ଟିମ୍ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ସମଲେଇ ଯୋଜନାରେ ହେଉଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଏହି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍.ଭିନିଲ କ୍ରିଷ୍ଣା ଏବଂ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁଯାୟୀ, ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ମନ୍ଦିର ପହଞ୍ଚିବା ପରେ ଏହି ସଚିବ ସ୍ତରୀୟ ଟିମ୍ ମନ୍ଦିର ପରିସରକୁ ଆସିଥିଲେ । ସମଲେଇ ଯୋଜନା ଅନ୍ତର୍ଗତ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରି ପାଖରେ ଚାଲିଥିବା ଜମି ଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ବ୍ୟତୀତ ମନ୍ଦିର ଉନ୍ନତିକରଣ ନିମନ୍ତେ ମନ୍ଦିର ପଛପାଖରେ କାର୍ଯ୍ୟକାରୀ କରାଯାଉଥିବା ରିଭର୍ ଭ୍ୟୁ ଯୋଜନାର ଅନୁଧ୍ୟାନ ମଧ୍ୟ କରିଥିଲେ। ଏହି ସବୁ କାର୍ଯ୍ୟର ସମୀକ୍ଷା ବ୍ୟତୀତ ଏହି ଟିମ୍ ଦୁର୍ଗାପାଲି କୁସୁମପଡାକୁ ଯାଇ ଥଇଥାନ ଓ ପୁନର୍ବାସ ପ୍ରକଳ୍ପ ଯୋଜନାର ଅନୁଧ୍ୟାନ କରିବା ସହ ବିସ୍ଥାପିତଙ୍କୁ ଯେପରି ସମସ୍ତ ପ୍ରକାର ମୌଳିକ ସୁବିଧା ମିଳି ପାରିବ ସେ ନେଇ ଫୋକସ୍ ରଖିଛନ୍ତି । ତେବେ ଏହି ସମୀକ୍ଷା ପରେ ଜମାଦାରପାଲି ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏହି ସଚିବ ସ୍ତରୀୟ ଦଳ।

ସୂଚନାଯୋଗ୍ୟ ଯେ,କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ମା ସମଲେଶ୍ୱରୀଙ୍କ ପୀଠର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ମାଷ୍ଟର ପ୍ଲାନ କରିଥିଲେ ନବୀନ । ମନ୍ଦିର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ସମଲେଇ ଯୋଜନା । ଏଥିପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ମା ସମଲେଶ୍ୱରୀ ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରେ ୫-ଟି ଉପକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ପ୍ରସ୍ତୁତ କରିଛନ୍ତି ।