ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ମାତ୍ର ୧୫ ମାସ ହେବ ଓଡିଶାର ଶାସନ ଦାୟିତ୍ୱ ନେଇଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ଆମ ସରକାର ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ଆମେ ୮୪ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି, ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ।
ଆଜି ୧୨ ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ବାରା ରାଜ୍ୟକୁ ଆସିବ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ । ସୃଷ୍ଟି ହେବ ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଏସଆରଏଫ ଲିମିଟେଡ଼ କମ୍ପାନୀ ଗଞ୍ଜାମରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଛି ଏବଂ ଏହାଦ୍ୱାରା ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଏପସିଲନ କାର୍ବନ ଅଶୋକ ପ୍ରାଇଭେଟ ଲିମିଟେଡ଼ ଝାରସୁଗୁଡାରେ ୫ ହଜାର ୮୦୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଯେଉଁଥିରେ ୨୫ ହଜାର ନିଯୁକ୍ତି ପାଇପାରିବେ । ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼ ଖୋର୍ଦ୍ଧା ଜିଲ୍ଲାରେ ରେୟାର ଆର୍ଥ ମିନେରାଲ ଶିଳ୍ପ ପ୍ରତିଷ୍ଠା କରିବ । ଏଥିସହ ସାହସପୁର, ଗେଡିଆପଲ୍ଲୀ ଏବଂ ସାନ୍ତରାପୁରଠାରେ ୨ ହଜାର ୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।