ହିଂଜିଳି ଯିବେ ମୁଖ୍ୟମନ୍ତ୍ରୀ, ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ

ଜିଲ୍ଲାପାଳ କଲେ ପ୍ରାକ ପ୍ରସ୍ତୁତିର ଯାଞ୍ଜ

ହିଂଜିଳି(ରଜନିକାନ୍ତ ପାତ୍ର) :ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ ।ଡିସେମ୍ବର ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ହିଂଜିଳି ଗସ୍ତ କରିବାର ପ୍ରାକ୍ ସୂଚନା ମିଳିଛି ।ସେହି ପରିପ୍ରେକ୍ଷୀରେ ମଙ୍ଗଳବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳି ଗସ୍ତକରି ପ୍ରସ୍ତୁତ କରିଛନ୍ତି ରୋଡ଼ମ୍ୟାପ୍ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମ ଯେମିତି ସୁରୁଖୁରୁରେ ସମ୍ପାଦନ ହେବ ସେ ନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧଵ ଭୋଇ,ପୌର ନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁ, ହିଂଜିଳି ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଏସ୍ଡିପିଓ ଉମାଶଙ୍କର ସିଂ ଓ ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଜିଲ୍ଳାପାଳ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ସିଂ ଭାଉ ସାହେବ, ବ୍ରହ୍ମପୁର କମିଶନର ଡ଼.ସିଦ୍ଧେଶ୍ୱର ବଳିରାମ ବାନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ ମଧ୍ୟ ବୁଲି ଦେଖିଥିଲେ। ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁବାବୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦ୍ଘାଟନ ହେବାର କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ହେଲିପ୍ୟାଡ୍ ଭିତରେ ରହିଥିବା ବ୍ୟକ୍ତିଙ୍କ ଆର୍ଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପରଠୁ ବହୁ ଦିନ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳି ଆସୁଥିବାରୁ ନେତାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଜନତା ବି ଅପେକ୍ଷା କରିଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ।