ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରିବାର ସହ ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ଦିରରେ ଆଳତି କରିବା ସହ ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ ।


ସେପଟେ ଗତକାଲି ଅପରାହ୍ନରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ ପକାଇଥିଲେ । ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ ପକାଇଥିଲେ । ଏହି ଅବସରରେ ଶ୍ରୀ ମାଝୀ ତ୍ରିବେଣୀ ସଂଗମରେ ଗଙ୍ଗା ଆରତୀ କରିଥିଲେ । ଶ୍ରୀ ମାଝୀ ୩ଦିନିଆ ଉତ୍ତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ ।


ସଂଗମରେ ବୁଡ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ଏଠାରେ ଉପସ୍ଥିତ ରହି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ପବିତ୍ର ସଂଗମରେ ବୁଡ ପକାଇଛି ଏବଂ ପ୍ରାର୍ଥନା କରିଛି । ଓଡିଶା ତଥା ଦେଶର କଲ୍ୟାଣ ପାଇଁ ମା’ଗଙ୍ଗା , ମା’ ଯମୁନା, ଓ ମା’ ସରସ୍ୱତୀଙ୍କ ନିକଟରେ ପ୍ରାର୍ଥନା କରି ଆଶ୍ରୀର୍ବାଦ ମାଗିଛି ।

ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଟିମ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଭାରତ’କୁ ଆଗେଇ ନେବା ପାଇଁ ଏହା ମଧ୍ୟ ଏକ ବଳିଷ୍ଠ ଉଦ୍ୟମ ।