କଟକ: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ । ହଜାର ହଜାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦କୋଟି ଟଙ୍କା । ପୁଣି ଭକ୍ତଙ୍କ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । ପୁଣି ଆସନ୍ତା ଏକବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି । କଟକ ସହରର ସାମଗ୍ରୀକ ବିକାଶରେ ଚଣ୍ଡୀ ମନ୍ଦିର କାୟାକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି ।
ପୂର୍ତ୍ତବିଭାଗ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ସମ୍ପର୍କିତ ଏକ ପ୍ଲାନ ଉପସ୍ଥାପନା କରାଯାଇଥିଲା । ଓବିସିସି ଦ୍ୱାରା ପ୍ରସ୍ତୁତ ଏହି ଯୋଜନା ଅନୁସାରେ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚାରିପାଖରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ୪ଟି ଦ୍ୱାର କରାଯିବ । ଏଥିସହିତ ମନ୍ଦିର ପରିସରରେ ନୂଆ ଜଗମୋହନ ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପରିସରରେ ଖଣ୍ଡାଲାଇଟ୍ସ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭ ମଧ୍ୟ ଲଗାଯିବ । ପୁଣି ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ ବୋଲି ଜଣାପଡିଛି ।
ଭକ୍ତମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୂମ, କ୍ଲକ ରୂମ, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ଭକ୍ତମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ । ପୁଣି ପାର୍କିଂ ସହିତ ଖୋଲା ସ୍ଥାନ ଓ ଲ୍ୟାଣ୍ଡସ୍କାପିଂର ମଧ୍ୟ ବିକାଶ କରାଯିବ । ଓବିସିସି ଦ୍ୱାରା ଏହି ଯୋଜନାରେ ପାରିପାଶ୍ୱିର୍କ ଅଞ୍ଚଳର ବିକାଶ ସହିତ ମନ୍ଦିର ନିକଟରେ ଭାରିଯାନ ନିୟନ୍ତ୍ରଣ, ଭକ୍ତଙ୍କ ପାଇଁ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ଗୁରୁତ୍ୱାରୋପ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ, ମା’ଙ୍କ ପୀଠକୁ ଯାଇ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପାଣ୍ଡିଆନ ସଂଯୋଜନା କରିଥିବା ବେଳେ ଏଥିରେ ଯୋଗ ଦେଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ସେବାୟତ ଏପରି ଯୋଜନାକୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।