ଚେନ୍ନାଇ: ଖରାଦିନେ ଟ୍ରେନରେ ଯାତ୍ରା ବହୁ କଷ୍ଟକର ହୋଇଥାଏ । ତାହାପୁଣି ଲୋକାଲ ଟ୍ରେନ କଥା ନ କହିବା ଭଲ । ପ୍ରତିଦିନ ଲୋକାଲ ଟ୍ରେନରେ ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଜୀବୀ ଯାତାୟାତ କରିଥାନ୍ତି । କାରଣ କମ ଟଙ୍କାରେ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତି । କମ ଟିକେଟ ମୂଲ୍ୟ ଯୋଗୁଁ ଲୋକାଲ ଟ୍ରେନରେ ଭିଡ ମଧ୍ୟ ଅସମ୍ଭାଳ ହୋଇପଡେ । ହେଲେ ଖରାଦିନେ ଲୋକାଲ ଟ୍ରେନରେ ଯାତ୍ରା ଟିକେ କଷ୍ଟକର ହୋଇପଡେ । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି ଦକ୍ଷିଣ ରେଳବାଇ ।
ପ୍ରବଳ ଗରମ କାରଣରୁ ଦକ୍ଷିଣ ରେଳବାଇ ଏପ୍ରିଲ ୧୯ରୁ ଶୀତତାପ ନିୟନ୍ତ୍ରିତ ଟ୍ରେନ ଚଳାଇବା ପାଇଁ ଘୋଷଣା କରିଥିଲା । ଶନିବାର ଠାରୁ ଚେନ୍ନାଇରେ ଲୋକାଲ ଏସି ଟ୍ରେନ ସେବା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଚେନ୍ନାଇ ବିଚ୍ରୁ ଚେଙ୍ଗଲପଟ୍ଟୁ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି । ୧୨ କୋଚ ବିଶିଷ୍ଟ ଏହି ଲୋକାଲ ଏସି ଟ୍ରେନର ସର୍ବନିମ୍ନ ଭଡା ୩୫ ଟଙ୍କା ରହିଥିବାବେଳେ ସର୍ବାଧିକ ଭଡା ୧୦୫ ଟଙ୍କା ଧାର୍ଯ୍ୟ କରାଯାଇଛି । ରବିବାରକୁ ଛାଡି ଏହି ଟ୍ରେନ ସେବା ପ୍ରତିଦିନ ଚାଲିବ । ଖରାଦିନେ ଅତି କମ ମୂଲ୍ୟରେ ଏଭଳି ଟ୍ରେନ ସେବା ଚାଲୁଥିବାରୁ ରେଳଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
ଦକ୍ଷିଣ ରେଳବାଇର ଘୋଷଣା ଅନୁସାରେ ଚେନ୍ନାଇ ସେଣ୍ଟ୍ରାଲରୁ ସକାଳ ୭ଟାରୁ ସଂଚାଳିତ ହେଉଥିବା ଏହି ଶୀତତାପ ନିୟନ୍ତ୍ରିତ ଟ୍ରେନ ନମ୍ବର 49003 ଏଗମୋର, ମାମ୍ବଲମ, ଗିଣ୍ଡି, ସେଣ୍ଟ ଥମସ ମାଉଣ୍ଟ, ତିରିସୁଲମ, ତାମ୍ବରମ, ପେରୁଙ୍ଗଲଥୁର, ଗୁଡୁବନଚେରୀ, ପୋଥେରୀ, ସିଙ୍ଗାପେରୁମଲ କୋଇଲ ଓ ପରନୁର ଦେଇ ସକାଳ ୮ଟା ୩୫ରେ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ପହଞ୍ଚିବ । ସେହିଭଳି ଭାବେ ଏସି ଟ୍ରେନ ନମ୍ବ 49004 ସକାଳ ୯ଟାରୁ ଚେଙ୍ଗଲପଟ୍ଟୁ ରେଳଷ୍ଟେସନରୁ ଆରମ୍ଭ ହୋଇ ପରନୁର, ସିଙ୍ଗାପେରୁମଲ ମନ୍ଦିର,ପୋଥେରୀ,ଗୁଡୁବନଚେରୀ, ପେରୁଙ୍ଗଲଥୁର, ତାମ୍ବରମ, ତିରୁସୁଲମ, ସେଣ୍ଟ ଥମସ ମାଉଣ୍ଟ, ଗିଣ୍ଡି, ମାମ୍ବଲମ ଓ ଏଗମୋର ହୋଇ ସକାଳ ସାଢେ ୧୦ଟାରେ ଚେନ୍ନାଇ ରେଳ ଷ୍ଟେସନରେ ପହଞ୍ଚିବ ।
ଟ୍ରେନ ନମ୍ବର 49005 ଚେନ୍ନାଇ ରେଳ ଷ୍ଟେସନରୁ ଦ୍ବିପ୍ରହର ୩ଟା ୪୫ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୫ରେ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ପହଞ୍ଚିବ । ସେହିପରି ଟ୍ରେନ ନମ୍ବର 49006 ସନ୍ଧ୍ୟା ୫ ଟା ୪୫ରେ ଆରମ୍ଭ ହୋଇ ଉପରୋକ୍ତ ରୁଟ ଦେଇ ସନ୍ଧ୍ୟା ୭ଟା ୧୫ରେ ଚେନ୍ନାଇ ରେଳ ଷ୍ଟେସନରେ ପହଞ୍ଚିବ । ଟ୍ରେନ ନମ୍ବର 49001 ଚେନ୍ନାଇ ବିଚ୍ ରେଳ ଷ୍ଟେସନରୁ ସନ୍ଧ୍ୟା ୭ଟା ୩୫ରେ ବାହାରି ଚେନ୍ନାଇ ଏଗମୋର, ଚେଟପେ, ନୁଂଗମବକ୍କମ, କୋଣ୍ଡବକ୍କମ, ମାମ୍ବଲମ, ସୈଦାପେଟ, ଗୁଇଣ୍ଡି, ସେଣ୍ଟ ଥମସ ମାଉଣ୍ଟ, ପଲମ୍ବନ୍ଗଲ, ମୀନାଂବକ୍କମ, ତିରୁସୁଲମ, ପଲ୍ଲାବରମ, କ୍ରୋମପେଟ, ତାମ୍ବରମ ସେନେଟୋରିଅମ ହୋଇ ରାତି ସାଢେ 8ଟାରେ ତାମ୍ବରମ ରେଳ ଷ୍ଟେସନରେ ପହଞ୍ଚିବ । ଟ୍ରେନ୍ ନମ୍ବର 49002 ତାମ୍ବରମ୍ ରେଳ ଷ୍ଟେସନରୁ ସକାଳ ୫ ଟା ୪୫ରେ ଛାଡି ତାମ୍ବରମ୍, ସାନେଟୋରିୟମ୍, କ୍ରୋମ୍ପେଟ୍, ପାଲାଭାରାମ, ତିରୁସୁଲମ୍, ମୀନାମ୍ବକକମ୍, ପାଲାଭାଣ୍ଟାଙ୍ଗାଲ୍, ସେଣ୍ଟ ଥୋମାସ୍ ମାଉଣ୍ଟ, ଗୁଇଣ୍ଡି, ସାଇଦାପେଟ, ମମ୍ବାଲକମ୍, କୋଡମ୍ବକମ୍, ନୁଂଗମବବକମ, ଚେଟପେଟ, ଚନ୍ନାଇ ଏଗମୋର ହୋଇ ଚେନ୍ନାଇ ବିଚ୍ ରେଳ ଷ୍ଟେସନରେ ସକାଳ ୬ଟା ୪୫ରେ ପହଞ୍ଚିବ ।