ଚଣ୍ଡୀଗଡ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ଲାଗିଛି ବଡ ଝଟକା । ପୁତୁରା ଭୁପିନ୍ଦର ସିଂ ହନିଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) । ବେଆଇନ ବାଲି ଖନନ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ହନ୍ନି । ବିଳମ୍ବିତ ରାତିରେ ପ୍ରାୟ ୮ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରିବା ପରେ ଜଳନ୍ଧରରୁ ଗିରଫ କରିଥିଲା ଇଡି । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଇଡି ହନ୍ନିଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ହନିଙ୍କର ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା । ତିନି ସହଯୋଗୀଙ୍କ ଘରୁ ବିପୁଳ ପରିମାଣର ଅର୍ଥାତ୍ ୭.୯ କୋଟି ଟଙ୍କା ଜବତ ହେବା ପରେ ଇଡିର ସନ୍ଦେହ ହୋଇଥିଲା । ପରେ ପଚାର ଉଚରା କରାଯିବାରୁ ସବୁ ସତ ପଦାକୁ ଆସିଥିଲା । ସେହିଭଳି ହନ୍ନିଙ୍କ ଜଣେ ସହଯୋଗୀ ସନ୍ଦୀପ କୁମାରଙ୍କ ନିକଟରୁ ୨ କୋଟି ଟଙ୍କା ଜବତ ହୋଇଥିଲା । ସୂଚନା ଥାଉକି, ଭୁପିନ୍ଦର ସିଂ ହନ୍ନି ଏବଂ ତାଙ୍କ ସହଯୋଗୀମାନେ ନକଲି କମ୍ପାନୀ କରି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହାସହ ବେଆଇନ ବାଲି ଖନନ ସହ ଜଡିତ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଚନ୍ନିଙ୍କ ପୁତୁରାଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । କେନ୍ଦ୍ର ଉପରେ ଆଞ୍ଚ ଆସିଲେ ଇଡିର ଯାଞ୍ଚ ହୁଏ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ବ୍ୟବହାର କରିଥାନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚର୍ତ୍ତୁର୍ବେଦୀ