ହାଇଦରାବାଦ: ପରଲୋକରେ ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ଚନ୍ଦ୍ର ମୋହନ । ହାଇଦରାବାଦର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୮୨ ବର୍ଷ ବୟଷରେ ତାଙ୍କର ହୃଦଘାତରେ ମୃତ୍ୟୁ ବରଣ କରିଥିବା କୁହାଯାଉଛି । ହୃଦୟଜନିତ ସମସ୍ୟା କାରଣରୁ ଚନ୍ଦ୍ରମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରରେ ପତ୍ନୀ ଜଲନ୍ଧରା ଓ ଦୁଇ ଝିଅ ଅଛନ୍ତି। ସୋମବାର ହାଇଦରାବାଦରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଚନ୍ଦ୍ର ମୋହନ ମେ’ ୨୩, ୧୯୪୧ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ‘ପାମିଡିମୁକ୍କଲା’ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୬ରେ ‘ରଙ୍ଗୁଲା ରତ୍ନମ’ ଚଳଚ୍ଚିତ୍ର ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ପ୍ରାୟ ୧ହଜାର ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସେଥିମଧ୍ୟରୁ ୧୭୫ଟି ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ନିଜର ନିଖୁଣ ଅଭିନୟ ପାଇଁ ସେ ଦୁଇଟି ନନ୍ଦୀ ପୁରସ୍କାର ମଧ୍ୟ ଜିତି ଥିଲେ। ପ୍ରଥମେ ୧୯୮୭ରେ ତାଙ୍କ ଚଳଚ୍ଚିତ୍ର ‘ଚନ୍ଦାମାମା ରାଭେ’ ଏବଂ ପରେ ୨୦୦୫ରେ ‘ଆଥାନାକ୍କାଫେ’ ପାଇଁ ତାଙ୍କୁ ନନ୍ଦୀ ପୁରସ୍କାର ମିଳିଥିଲା ।