ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

ଭଦ୍ରକ: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ । ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି । ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ ।  ଦୋଷୀଙ୍କ ଉପରେ ଯେପରି ଦୃଢ  କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।

ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ସମ୍ପୃକ୍ତ ୧୦ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ସତ୍ତେ୍ୱ ତାଙ୍କର ସନ୍ଧାନ ମିଳି ନଥିଲା । ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହ ବାଲିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବୁଦାମୂଳରୁ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଏସ୍ପି ମନୋଜ ରାଉତ, ଅତିରିକ୍ତ ଏସ୍ପି ଅରୂପ ବେହେରା, ଚାନ୍ଦବାଲି ଏସ୍ଡିପିଓ ତ୍ରିଲୋଚନ ସେଠୀ, ଥାନାଧିକାରୀ ପରେଶ ମହାନ୍ତିଙ୍କ ସମେତ ୧୦ରୁ ଅଧିକ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଥିଲା । ଏସ୍ପି ଶ୍ରୀ ରାଉତ ତଦନ୍ତର ନେତୃତ୍ୱ ନେଇଥିଲେ । ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାରେ ନିଜ ଶ୍ୱଶୁର ଘରେ ଲୁଚିଥିବା ଜଣାପଡ଼ିଥିଲା । ଭଦ୍ରକ ପୁଲିସ୍ ଟିମ୍ ବିଳମ୍ବିତ ରାତିରେ ହିଁ ଜଗତସିଂହପୁରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ଜଗତସିଂହପୁର ପୁଲିସ୍ ସହାୟତାରେ ସହର ଉପକଣ୍ଠ ସିଂହାରପୁର ପଞ୍ଚାୟତ ଶବରସାହିରେ ଅତର୍କିତ ଚଢ଼ଉ କରାଯାଇଥିଲା । ରାତି ପ୍ରାୟ ସାଢ଼େ ତିନିଟା ସୁଦ୍ଧା ପୁଲିସ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବବୁଲୁ କାବୁ କରି ନେଇଥିଲା ।