ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ରାଜନୈତିକ ଝଡର ସସପେନ୍ସ ଶେଷ ହୋଇଛି | ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ। ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି। ବଡ଼ କଥା ହେଉଛି, ଚମ୍ପାଇ ସୋରେନଙ୍କୁ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡ଼ିବ । ଗତକାଲି ସାରାଦିନ ରାଜନୈତିକ ଡ୍ରାମା ଚାଲିଥିଲା । ସନ୍ଧ୍ୟା ସାଢ଼େ ୫ଟାରେ ୫ ବିଧାୟକଙ୍କୁୁ ଡକାଇଥିଲେ ରାଜ୍ୟପାଳ । ଏଥିରେ ଚମ୍ପାଇ ସୋରେନ୍ ମଧ୍ୟ ଥିଲେ । ଲାଗୁଥିଲା ରାଜ୍ୟପାଳ ଏମାନଙ୍କୁ ଶପଥ ପାଇଁ ନିମନ୍ତ୍ରଣ ଦେବେ । କିନ୍ତୁ ତାହା ହୋଇପାରିନଥିଲା ।
ରାଜ୍ୟପାଳଙ୍କୁ ଚମ୍ପଇ ସୋରେନ ଭେଟିବା ପରେ ବିଧାୟକମାନେ ରାଞ୍ଚି ବିମାନବନ୍ଦରରେ ଏକାଠି ହୋଇଥିଲେ। ମେଣ୍ଟ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବାବେଳେ ପାଗ ସାଜିଥିଲା ବାଧକ। ‘ଲୋ ଭିଜିବିଲିଟି’ ପାଇଁ ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରିନଥିଲା। ପରେ ବିଧାୟକମାନେ ସର୍କିଟ ହାଉସରେ ରହିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ। ତେବେ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକ ଡାକିଛି।