ନୂଆଦିଲ୍ଲୀ :ପରଲୋକରେ ଶତାୟୁ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ । ଗତକାଲି ସେ ବାରଣାସୀ ଠାରେ ହୃଦଘାତରେ ଆଖି ବୁଜିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୧୨୮ ବର୍ଷ ବୟସ ହୋଇଥିବା କୁହାଯାଉଛି । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସୂଚନା ଅନୁଯାୟୀ, ବାବା ଶିବାନନ୍ଦ ତାଙ୍କ ଜୀବନକୁ ଯୋଗ ଓ ସାଧନାରେ ସମର୍ପିତ କରିଥିଲେ । ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଗ୍ରହଣ କରିବାରେ ସେ ସବୁଠୁ ବୟସ୍କ ଥିଲେ । ୧୮୯୬ ଅଗଷ୍ଟ ୮ରେ ବାବା ଶିବାନନ୍ଦ ଅଭିଭାଜିତ ବଙ୍ଗଳା ଶ୍ରୀହଟ ଜିଲ୍ଲା ହରିପୁର ଗାଁରେ ଗୌସ୍ୱାମୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୪ ବର୍ଷ ବୟସରେ ଘର ଛାଡିଥିଲେ । ୬ ବର୍ଷ ବୟସରେ ଯୋଗକୁ ଜୀବନର ଅଂଶ କରିଥିଲେ । ବାବା ଓଙ୍କାରନାଥ ଗୌସ୍ୱାମୀଙ୍କଠୁ ଦୀକ୍ଷା ଓ ଯୋଗ ଶିକ୍ଷା ନେଇଥିଲେ । ଶେଷ ସମୟ ଯାଏ ଯୋଗ ହିଁ ତାଙ୍କ ସହିତ ରହିଥିଲା । ଯୋଗକୁ ସେ ଆୟୁଷର ଆଧାର ବୋଲି କହିଥିଲେ ।
ସବୁବେଳେ ସିଝା ଖାଦ୍ୟ ଖାଉଥିଲେ । ଭୋକରେ ତାଙ୍କ ବାପାମାଆ ଓ ଭଉଣୀଙ୍କର ମୃତ୍ୟୁ ହୋଇଥିବା କହିଥିଲେ ବାବ ଶିବାନନ୍ଦ । ପିଲାଦିନୁ ସେ କେବଳ ଚାଉଳ ଗୁଣ୍ଡ ଖାଇବାକୁ ପଡିଥିଲା । ଯେବେ ସେ ତାଙ୍କ ଗୁରୁଙ୍କ ସମ୍ପର୍କରେ ଆସିଲେ ତେବେ ତାଙ୍କୁ ଭୋଜନ ଏବଂ ଯୋଗରୁ ମହତ୍ତ୍ୱ ବୁଝିଥିଲେ । ସେବେଠୁ ସ୍ଥିର ହୋଇଥିଲା ଯେ ଅଧାପେଟ ଭୋଜନ କରିବେ । ଭୋକର ପ୍ରକୃତ ଅର୍ଥ କଣ ସେ ଲୋକଙ୍କୁ କହିପାରିବେ । ଦୁନିଆ ଭ୍ରମଣ କରିବା ପରେ ସେ କାଶୀ ଆସିବା ପରେ ହିଁ ଶାନ୍ତି ଅନୁଭବ କରିଥିଲେ । ସିଝା ଖାଇବା ଖାଉଥିଲେ । ବାଡି ଓ କାଠ ତକିଆ ମୁଣ୍ଡ ତଳେ ଦେଇ ସବୁବେଳେ ଭୂମିରେ ଶୋଉଥିଲେ । ଯୋଗ ବଳରେ ଫିଟ୍ ରହିଥିଲେ । ୧୨୮ ବର୍ଷରେ ବି ସେ ନିଜ କାମ ନିଜେ କରୁଥିଲେ । ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ଯୋଗଗୁରୁ ବାବା ଶିବାନନ୍ଦ ମହାରାଜଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଥିଲା । ଏହି ସମ୍ମାନ ନେବାକୁ ଯିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଣାମ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଚୌକିରୁ ଉଠି ତାଙ୍କୁ ହାତଯୋଡି ପ୍ରଣାମ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ସେ କେବେ ଅସୁସ୍ଥ ହୋଇନଥିଲେ । ୧୨୮ ବର୍ଷରେ ବି ସେ ଯୋଗାଭ୍ୟାସ କରୁଥିଲେ ।