ନୂଆଦିଲ୍ଲୀ-: କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି । ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ ।
କ୍ୟାବିନେଟ ବୈଠକ ପରେ କ୍ୟାବିନେଟରେ ନିଅ ଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ନିଷ୍ପତ୍ତି ନେଇଛି ଯେ ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରାଯିବ । ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜାତିଭିତ୍ତିକ ଜନଗଣନା ଦୀର୍ଘ ଦିନର ଏକ ଦାବି ରହି ଆସିଛି, ଯାହା ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କ ପାଇଁ ନୀତି ପ୍ରଣୟନରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ଦ୍ୱାରା ସରକାରୀ ଯୋଜନା ଓ ସୁବିଧାଗୁଡ଼ିକ ଅଧିକ ଯଥାର୍ଥ ଓ ଲକ୍ଷ୍ୟଭିତ୍ତିକ ଭାବେ ପହଞ୍ଚାଯାଇ ପାରିବ।
ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମେଘାଳୟ ଏବଂ ଆସାମକୁ ସଂଯୋଗ କରୁଥିବା ସିଲଚରରୁ ଶିଲଂ ଏବଂ ଶିଲଂରୁ ସିଲଚର ପର୍ଯ୍ୟନ୍ତ ଏକ ବହୁତ ବଡ଼ ପ୍ରକଳ୍ପ ହାଇ ସ୍ପିଡ୍ କରିଡର ହାଇୱେକୁ ଅନୁମୋଦନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୨,୮୬୪ କୋଟି ଟଙ୍କା ରହିଛି ।