ନୂଆଦିଲ୍ଲୀ: ଦେଶର ବୀର ସୈନିକମାନଙ୍କ ପ୍ରତି ସମ୍ମାନ ସୂଚକ ଭାବରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଘୋଷଣା କରିଛନ୍ତି ଯେ, ସେନାରେ ସାହସିକତା ପାଇଁ ପୁରସ୍କୃତ ସୈନିକ ଓ ତାଙ୍କ ପରିବାର ସଦସ୍ୟମାନେ Indian Railways ରେ ଆଜୀବନ ମାଗଣା ଯାତ୍ରା କରିପାରିବେ। Ministry of Defence ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସୁବିଧା ସ୍ଥଳ ସେନା, ନୌସେନା ଓ ବାୟୁସେନାର ସେହି ସୈନିକମାନଙ୍କୁ ଲାଗୁ ହେବ ଯେଉଁମାନେ ସେନା ମେଡାଲ, ନୌସେନା ମେଡାଲ ଓ ବାୟୁସେନା ମେଡାଲରେ ସମ୍ମାନିତ ହୋଇଛନ୍ତି।
ସରକାରଙ୍କ ନୂତନ ଘୋଷଣା ଅନୁଯାୟୀ, ଏହି ଯୋଜନାର ଲାଭାର୍ଥୀମାନେ ପ୍ରଥମ ଶ୍ରେଣୀ ଏସି, ଦ୍ୱିତୀୟ ଶ୍ରେଣୀ ଏସି ଏବଂ ଏସି ଚେୟାର କାରରେ ମାଗଣା ଯାତ୍ରା ସୁବିଧା ପାଇବେ। କେବଳ ପୁରସ୍କାର ବିଜେତା ନୁହେଁ, ତାଙ୍କ ସହ ଜଣେ ସାଥୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ଏହି ସୁବିଧା କେବଳ ପୁରସ୍କାର ବିଜେତାଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଯଦି କୌଣସି ସମ୍ମାନିତ ସୈନିକଙ୍କ ନିଧନ ହୋଇଯାଇଥାଏ, ତେବେ ତାଙ୍କ ପରିବାର ଲୋକମାନେ ଏହି ସୁବିଧାର ଲାଭ ଉଠାଇପାରିବେ। ଏଥିପାଇଁ ଯଦି କୌଣସି ଅବିବାହିତ ପୁରସ୍କାର ବିଜେତାଙ୍କ ମୃତ୍ୟୁ ହୋଇଥାଏ, ତେବେ ତାଙ୍କ ବାପା ଓ ମାଆଙ୍କୁ ଏହି ସୁବିଧା ଦିଆଯିବ।ସରକାରଙ୍କ ମତାନୁସାରେ, ଦେଶ ପାଇଁ ଅସାଧାରଣ ସାହସ ଓ ବଳିଦାନ ଦେଖାଇଥିବା ସୈନିକମାନଙ୍କୁ ଏଭଳି ସମ୍ମାନ ଦେବା ଆବଶ୍ୟକ। ରେଳ ଯାତ୍ରାରେ ଏହି ସୁବିଧା ନା କେବଳ ସେମାନଙ୍କୁ ସହଜତା ଯୋଗାଇବ, ବରଂ ତାଙ୍କର ଅମୂଲ୍ୟ ଅବଦାନ ପ୍ରତି ଦେଶର କୃତଜ୍ଞତାକୁ ମଧ୍ୟ ପ୍ରକାଶ କରିବ।