ଭୁବନେଶ୍ୱର-: ଗ୍ରାମୀଣ ଡାକ ସେବକ (ଜିଡିଏସ ) ନିଯୁକ୍ତି ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଓଡ଼ିଶାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । କେନ୍ଦ୍ରୀୟ ଏଜେନ୍ସିର ଅନେକ ଦଳ ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, କେଉଁଝର ଏବଂ ବଲାଙ୍ଗୀରର୧୨ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡ଼ିଛି । ୯ ମେ’ ୨୦୨୩ରେ ସିବିଆଇ ଦ୍ୱାରା ଏହି ମାମଲା ପଞ୍ଜିକୃତ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ, ୨୦୨୩ ଜିଡିଏସ ନିଯୁକ୍ତି ପ୍ରକ୍ରିୟା ସମୟରେ କିଛି ପ୍ରାର୍ଥୀ ଚାକିରି ପାଇବା ପାଇଁ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଏବଂ କାର୍ଯ୍ୟାଳୟରେ ତଲାସ ସମୟରେ ସିବିଆଇ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି ।
ସୂଚନାଥାଉକି, ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାରେ ସିବିଆଇା ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ଅଭିଯାନରେ ଠକେଇରେ ଜଡିତ ବ୍ୟକ୍ତିବିଶେଷଙ୍କ ଘର, ମଧ୍ୟସ୍ଥି ଏବଂ ଉତ୍ତର ପ୍ରଦେଶ ବୋର୍ଡ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓଏସ)ର ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ତିଆରି କରିବାରେ ନିୟୋଜିତ ଥିବା ଅଭିଯୁକ୍ତଙ୍କ ଘରକୁ ଟାର୍ଗେଟ କରାଯାଇଛି।
ଯାଞ୍ଚବେଳେ ଠକେଇ କାର୍ଯ୍ୟକଳାପ ସମ୍ବନ୍ଧିତ ଅନେକ ଅପରାଧିକ କାଗଜପତ୍ର ଏବଂ ଲେଖା ଉଦ୍ଧାର କରାଯାଇଛି । ସିବିଆଇ ୩୦ ଡିସେମ୍ବର ୨୦୨୪ରେ ୫୫ ଜଣ ପ୍ରାର୍ଥୀ ଏବଂ ତିନି ଜଣ ମଧ୍ୟସ୍ଥି ସମେତ ୫୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭୁବନେଶ୍ୱର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛି । ଏପଟେ ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ।