ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ବଢୁଛି ନିର୍ଯ୍ୟାତନା ମାମଲା…

ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ବଢୁଛି ନିର୍ଯ୍ୟାତନା ମାମଲା । ଛାତ୍ରୀଙ୍କୁ ଦିଆଯାଉଛି ଶାରୀରିକ ଓ ମାନସିକ ସହ ଯୌନ ନିର୍ୟାତନା। ଏନେଇ ଆଜି ବିଧାନସଭାରେ ମନ୍ତ୍ରୀ ସୂର୍ଯବଂଶୀ ସୂରଜ ଲିଖିତ ଉତ୍ତର ରଖିଛନ୍ତି । ତଥ୍ୟ ଅନୁସାରେ ଓଡିଶାର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ଶାରୀରିକ, ମାନସିକ ଓ ଯୌନ ନିର୍ୟାତନାର ଶିକାର ହୋଇଛନ୍ତି । ୬ ଜଣ ଯୌନ ନିର୍ୟାତନାର ଶିକାର, ୯ ଜଣ ଛାତ୍ରୀଙ୍କୁ ମାନସିକ ନିର୍ୟାତନା ଦିଆଯାଇଥିବା ବେଳେ ଦୁଇ ଜଣ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଛି ବୋଲି ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଉତ୍କଳ ବିଶ୍ଵବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। ଯେଉଁଥିରୁ ୩ଟି ଯୌନ ନିର୍ୟାତନା, ଗୋଟେ ଅଶ୍ଳୀଳ ଭାଷା ପ୍ରୟୋଗ, ଗୋଟେ ମାନସିକ ନିର୍ୟାତନା ମାମଲା ରହିଛି। ସେହିପରି ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୩ଟି ମାନସିକ ନିର୍ୟାତନା, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଗୋଟେ ଯୌନ ନିର୍ୟାତନା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଗୋଟେ ମାନସିକ ନିର୍ୟାତନା ଓ ଗୋଟେ ଅସଦାଚରଣ ମାମଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ୩ଟି ମାନସିକ ନିର୍ୟାତନା ଅଭିଯୋଗ ରହିଛି। ସେହିଭଳି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବି ଜଣେ ଛାତ୍ରୀ ଯୌନ ନିର୍ୟାତନା ଯୋଗୁଁ ମାନସିକ ନିର୍ୟାତନାର ଶିକାର ହୋଇଥିଲେ।