ଚଣ୍ଡିଗଡ଼-: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣର, ୨୨ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ରେ ଚଣ୍ଡିଗଡ଼ରେ ଖେଳାଯିବ । ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚରୁ ୨ ଟି ଜିତିଛି । ଏଥିସହିତ ୫ ଥର ଚାମ୍ପିୟନ ଚେନ୍ନାଇ ନିଜ ପ୍ରଶଂସକଙ୍କୁ ନିରାଶ କରିଛି ଏବଂ ୪ଟି ମ୍ୟାଚ ମଧ୍ୟରୁ ୩ଟି ହାରିଛି । ପଏଣ୍ଟ ଟେବୁଲରେ ପଞ୍ଜାବ ଏବଂ ଚେନ୍ନାଇ ଯଥାକ୍ରମେ ଚତୁର୍ଥ ଏବଂ ନବମ ସ୍ଥାନରେ ରହିଛନ୍ତି ।
ପଞ୍ଜାବ ଶେଷ ମ୍ୟାଚରେ ବ୍ୟାଟିଂ କ୍ଷେତ୍ରରେ ବିଫଳ ହେବା ସହିତ ରାଜସ୍ଥାନ ରୟାଲ୍ସ ନିକଟରୁ ୫୦ରନରେ ପରାଜିତ ହୋଇଥିଲା । ରାଜସ୍ଥାନ ବିପକ୍ଷରେ ନେହାଲ ୱାଧେରା ଅର୍ଦ୍ଧଶତକ ହାସଲ କରିଥିବାବେଳେ ଗ୍ଲେନ ମ୍ୟାକ୍ସୱେଲ ୩୦ରନ କରିଥିଲେ । ମ୍ୟାକ୍ସୱେଲ ରନ କରିବା ଦଳକୁ ଆଶ୍ବସ୍ତି କରିଛି । ବୋଲିଂ କ୍ଷେତ୍ରରେ ଅର୍ଶଦୀପ୍ ସିଂହ, ମାର୍କୋ ୟାନସେନ, ଲୁକି ଫର୍ଗୁସନ, ଯୁଜୁବେନ୍ଦ୍ର ଚହଲ ରହିଛନ୍ତି । ଦ୍ରୁତ ବୋଲିଂ କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍ପିନ କ୍ଷେତ୍ରରେ ଦୁର୍ବଳ ରହିଛି । ଯୁଜୁବେନ୍ଦ୍ର ଚହଲ ଓ ମ୍ୟାକ୍ସୱେଲ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି ।
ସେହିପରି ଋତୁରାଜଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ୩ଟି ପରାଜିତ ହୋଇଛି । ଦଳ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବାବେଳେ ଶେଷ ୩ଟି ମ୍ୟାଚରେ ପରାଜିତ ହୋଇଛି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ଶେଷ ୪ଟି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଛି । ଦୁଇ କିଙ୍ଗ୍ସ ଙ୍କ ମଧ୍ୟରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି ।