ଏକକ ଯୋଗ୍ୟତା ପରୀକ୍ଷାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଏକକ ଯୋଗ୍ୟତା ପରୀକ୍ଷା କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି(ଏନଆରଏ) ପ୍ରତିଷ୍ଠାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି,ଏହା ଏକ ଐତିହାସିକ ନିଷ୍ପତ୍ତି । ଏହା ଦେଶର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନରେ ସହାୟକ ହେବ।
ସେ କହିଛନ୍ତି, ଏହା ଦେଶର ଯୁବକମାନଙ୍କର ଦୀର୍ଘ ଦିନର ଆବଶ୍ୟକତା ପୂରଣ କରିବ। ଗ୍ରୁପ୍ ବି ଏବଂ ସି (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନ ଏବଂ ସର୍ଟଲିଷ୍ଟ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି ଏକକ ଯୋଗ୍ୟତା ପରୀକ୍ଷା କରିବ। ଏନଆରଏରେ ରେଳ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଏସଏସସି, ଆରଆରବି, ଏବଂ ଆଇବିପିଏସର ପ୍ରତିନିଧୀ ରହିବେ। ୧୧୭ଟି ଆକାଂକ୍ଷୀତ ଜିଲ୍ଲାରେ ପରୀକ୍ଷା ଭିତ୍ତିଭୂମି ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦିଆଯିବ, ସେମାନେ ରହୁଥିବା ନିକଟସ୍ଥ ସ୍ଥାନରେ ପ୍ରାର୍ଥୀଙ୍କ ନିଯୁକ୍ତିକୁ ସୁଦୃଢ ପରାଯିବ ଫଳରେ ସେମାନଙ୍କୁ ବହୁ ଦୂରକୁ ଯିବାକୁ ପଡିବ ନାହିଁ। ପ୍ରାର୍ଥୀଙ୍କର ଏକକ ଯୋଗ୍ୟତା ପରୀକ୍ଷାର ଫଳାଫଳ ଘୋଷଣା ତାରିଖ ଠାରୁ ତାହା ତିନି ବର୍ଷ ପାଇଁ ବୈଧ ରହିବ।
ସର୍ବୋଚ୍ଚ ବୟସ ସୀମା ଅନୁଯାୟୀ ଏକକ ଯୋଗ୍ୟତା ପରୀକ୍ଷାରେ ହାଜର ହେବାକୁ ଜଣେ ପ୍ରାର୍ଥୀଙ୍କ ଦ୍ୱାରା ନିଆଯାଇଥିବା ପ୍ରୟାସ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସରକାରଙ୍କ ବିସ୍ତୃତ ନୀତି ଅନୁଯାୟୀ ଏସସି /ଏସଟି/ଓବିସି ଏବଂ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କୁ ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯିବ। ପ୍ରାର୍ଥୀମାନେ ଏକ ସାଧାରଣ ପୋର୍ଟାଲରେ ପଞ୍ଜୀକରଣ କରିବାର ସୁବିଧା ପାଇବେ ଏବଂ କେନ୍ଦ୍ରଗୁଡିକର ପସନ୍ଦ ସଂପର୍କରେ ସୂଚନା ଦେବେ । ଜାତୀୟ ନିଯୁକ୍ତି ଏଜେନ୍ସି ପାଇଁ ସରକାର ୧୫୧୭.୫୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତିନି ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ। ଜାତୀୟ ନିଯୁକ୍ତି ଏଜେନ୍ସି ଉଭୟ ପ୍ରାର୍ଥୀ ଏବଂ ନିଯୁକ୍ତି ସଂଗଠନ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶୀତା ଏବଂ ସରଳତା ନିଶ୍ଚିତ କରିବ।