ପଦ୍ମପୁର: ଧାମନଗର ବିଦ୍ରୋହର ନିଆଁ ପଦ୍ମପୁରରେ ଜଳିବ କି ? ଧାମନଗର ଫଳାଫଳା ପ୍ରଭାବ ପଦ୍ମପୁର ଉପରେ ପଡିବ କି ? ବିଜେଡିର ଅସନ୍ତୁଷ୍ଟ ଗୋଷ୍ଟି ପଦ୍ମପୁରରେ ହେବକି ସୃଷ୍ଟି ! ବିଜେଡି ରେ ନାହାନ୍ତି ତ ରାଜୁଙ୍କ ପାର୍ଟ ଟୁ ! ଏହି ସବୁ ପ୍ରଶ୍ନ ଓ ଆଶଙ୍କା ଏବେ ଏଥିପାଇଁ ଉଙ୍କି ମାରୁଛି କାରଣ ଧାମନଗର ଉପ ନିର୍ବାଚନ ପରେ ପଦ୍ମପୁର ଉପ ନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର ୫ରେ ପଦ୍ମପୁରରେ ଉପ ନିର୍ବାଚନ ହେବାକୁ ଯାଉତିବା ବେଳେ ଡିସେମ୍ବର ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।
ତେବେ ଧାମନଗର ଉପ ନିର୍ବାଚନ ଫଳାଫଳ ପ୍ରକାଶ ର ଗୋଟିଏ ଦିନ ପୂର୍ବରୁ ପଦ୍ମପୁର ଉପ ନିର୍ବାଚନର ବିଗୁଲ ବାଜିଛି । ଆଉ ଏହା ପରେ ପଦ୍ମପୁରରେ ନେତା ମାନଙ୍କ ଭିଡ ଦେଖିବାକୁ ମିଳିଛି । ମୁଖ୍ୟତ ଶାସକ ଦଳ ବିଜେଡି ଉପ ନିର୍ବାଚନ ବିଜୟର ଟ୍ରାକ ରେକର୍ଡ ବଜାୟ ରଖିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛି ।ବିଜେଡି ପାଇଁ ଏବେ ସବୁଠାରୁ ମୁଣ୍ଡ ବ୍ୟଥାର କାରଣ ଦଳ ଭିତରେ ଅସନ୍ତୁଷ୍ଟ ଗୋଷ୍ଟିଙ୍କ ବିଦ୍ରୋହ । ଯାହା ପ୍ରଥମ ଥର ପାଇଁ ଧାମନଗର ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା । ପଦ୍ମପୁରରେ ମଧ୍ୟ ସେହିଭଳି କିଛି ହୋଇପାରେ ବୋଲି ଭିତିରି ସୂତ୍ରରୁ ଖବର ମିଳିଛି । ଟିକେଟ ନ ମିଳିବାରୁ ରାଜୁ ଯେପରି ବିଜେଡି ନିସ୍ପତି କୁ ବିରୋଧ କରି ଧାମନଗରରେ ବିଦ୍ରୋହୀ ହେଲେ ଠିକ ସେମିତି ପଦ୍ମପୁର ରେ ହୋଇପାରେ ! ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି ।ଏହି ଆସନ ପାଇଁ ବିଜେଡିରୁ ଅନେକ ଆଶାୟୀ ଅଛନ୍ତି । କିନ୍ତୁ ରାଜ୍ୟରେ ପୁର୍ବ ଯେତେସବୁ ଉପ ନିର୍ବାଚନ ହୋଇଛି ସେଠାରେ ବିଜେଡି ବିଧାୟକ ଥିବା ବ୍ୟକ୍ତିଙ୍କ ପରିବାରରୁ କାହାକୁ ଜଣଙ୍କୁ ଟିକେଟ ମିଳିଛି । ପଦ୍ମପୁର ଉପ ନିର୍ବାଚନ ରେ ମଧ୍ୟ ବିଜେଡି ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ଟିକେଟ ଦେଇପାରେ ।
ଆଉ ଏହା ପରେ ପଦ୍ମପୁରରେ ଦେଖାଯାଇପାରେ ଧାମନଗର ଭଳି ବିଦ୍ରୋହର ନିଆଁ । କାରଣ ପଞ୍ଚାୟତ ନିର୍ବାଚନ ବେଳେ ବି ଏଠାରେ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ବିରୋଧ କରି ବିଜେଡି ନେତା ମହେନ୍ଦ୍ର ବଢେଇ ପ୍ରାର୍ଥୀ ଦେଇଥିଲେ । ଆଉ ସେହି ଗୋଷ୍ଟି କନ୍ଦଳ ଏବେବି ଅଛି । ପଦ୍ମପୁର ବିଜେଡି ନେତା ମହେନ୍ଦ୍ର ବଢେଇ ନିଜର ସଂଗଠନ ରଖିଥିବାବେଳେ ପଦ୍ମପୁର ପାଇଁ ମଧ୍ୟ ଟିକେଟ ଆଶାୟି ଅଛନ୍ତି ।ଯଦି ବିଜେଡି ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ଟିକେଟି ଦିଏ ତେବେ ଏଠାରେ ମଧ୍ୟ ଧାମନଗର ଭଳି ବିଦ୍ରୋହର ନିଆଁ ଜଳି ପାରେ ! ଏହି ବିଦ୍ରୋହର ସୁଯୋଗରୁ ଫାଇଦା ବିରୋଧି ବି ନେଇପାରନ୍ତି । କାରଣ ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ । ପ୍ରଦୀପ ପୁରୋହିତଙ୍କର ପଦ୍ମପୁରରେ ନିଜସ୍ୱ ସଂଗଠନ ରହିଛି । ତାସହ ବିଜେପିର ସ୍ଥିତିବି ପଦ୍ମପୁରରେ ଭଲ ଅଛି । ଏହି ସବୁ ଫ୍ୟାକ୍ଟର ବିଜେଡି ପାଇଁ ଧାମନଗର ଭଳି ପଦ୍ମପୁର ବି ଚ୍ୟାଲେଞ୍ଜ ହୋଇପାରେ । ତେବେ ଦେଖିବାକୁ ବାକି ରହିଲା ଧାମନଗର ଫଳାଫଳାର ପ୍ରଭାବ ପଦ୍ମପୁର ଉପରେ କଣ ପକାଉଛି । ପଦ୍ମପୁରରେ ଅସନ୍ତୁଷ୍ଟ ଗୋଷ୍ଟି ଙ୍କୁ ସନ୍ତଷ୍ଟ କରିବା ପାଇଁ ବିଜେଡି କେଉଁ ଟ୍ରିକ୍ସ ଆପଣାଉଛି । ନା ଧାମନଗର ବିଦ୍ରୋହର ନିଆଁ ପଦ୍ମପୁରରେ ଜଳିବାକୁ ଯାଉଛି ।