ଭାରରତ ରେଳ ମାନଚିତ୍ରରେ ସାମିଲ ହେଲା ବୌଦ୍ଧ

ବୌଦ୍ଧ-: ଆଜି ବୌଦ୍ଧ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ଭାରରତ ରେଳ ମାନଚିତ୍ରରେ ସାମିଲ ହେଲା ବୌଦ୍ଧ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରୁ ରେଳ ଗଡିଲା । ବୌଦ୍ଧ ଓ ପୁରୁଣାକଟକରୁ ଏକସାଙ୍ଗରେ ୨ଟି ଟ୍ରେନ ସେବା ଆରମ୍ଭ ହୋଇଛି । ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବ । ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ଆଭାସୀ (ଭିଡ଼ିଓ କଡ଼ଫରେସନ୍) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ଗଠନର ୩୧ବର୍ଷ ପରେ ରେଳ ଚଳାଚଳ ଆରମ୍ଭ କରିଥିବାରୁ ବୌଦ୍ଧବାସୀଙ୍କ ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି, ଯାହାକି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ନୂତନ ଟ୍ରେନଗୁଡ଼ିକ ହେଉଛି ୧୮୩୧୩/୧୮୩୧୪ ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଏବଂ ୧୮୩୧୧/୧୮୩୧୨ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ । ୧୮୩୧୩ /୧୮୩୧୪ ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ପ୍ରତି ସୋମବାର ବୌଦ୍ଧରୁ ସକାଳ ୦୭ ଘଟିକାରେ ଛାଡିବ ଏବଂ ବଲାଙ୍ଗୀର-ସମ୍ବଲପୁର-ଅନୁଗୁଳ-ନରାଜ ଦେଇ ଭୁବନେଶ୍ୱର ନୂଆରେ ସନ୍ଧ୍ୟା ୦୬ଘ.୧୫ ମି.ରେ ପହଞ୍ଚିବ । ଫେରିବା ମାର୍ଗରେ, ଏହି ଟ୍ରେନଟି ସୋମବାର ଭୁବନେଶ୍ୱର ନୂଆରୁ ରାତି ୧୧ ଘଟିକାରେ ଛାଡିବ ଏବଂ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ.୩୦ମିରେ ବୌଦ୍ଧରେ ପହଞ୍ଚିବ । ସେହିପରି, ସମ୍ବଲପୁରରୁ ୧୮୩୧୧/୧୮୩୧୨ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ ରବିବାର ଦିନ ସନ୍ଧ୍ୟା ୦୭ଘ.୨୫ମି.ରେ ଛାଡିବ ଏବଂ ସେହି ଦିନ ରାତ୍ରି ୧୧ଘ.୫୫ମି.ରେ ବୌଦ୍ଧରେ ପହଞ୍ଚିବ। ଫେରିବା ସମୟରେ, ବୌଦ୍ଧରୁ ଏହି ଟ୍ରେନଟି ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଘ.୧୫ମି.ରେ ଛାଡିବ ଏବଂ ସେହି ଦିନ ସନ୍ଧ୍ୟା ୦୭ଘ.୩୦ମି.ରେ ସମ୍ବଲପୁରରେ ପହଞ୍ଚିବ । ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍ ପାସେଞ୍ଜର ଟ୍ରେନ୍ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚଳାଚଳ କରିବ ।