ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ରହିଛି ସମ୍ପର୍କ

କଟକ: ବୋର୍ଡ ଉପସଭାପତିଙ୍କ ଗିରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ରହିଛି ସମ୍ପର୍କ । ଅଫିସ ସମୟ ବାଦ୍‌ ଉଭୟେ ଉଭୟଙ୍କ ସହ ୧୦୦ ଥର କଥା ହେବାର ପ୍ରମାଣ ମିଳିଛି । ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା । ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ଏତେ ଥର କଥା କାହିଁକି ହେଲେ ସେ ନେଇ ପ୍ରଶ୍ନ ଉଠିଛି । ଜିତନଙ୍କ ଭୂମିକା ସନ୍ଦେହଜନକ ଥିଲା ବୋଲି ନିଜେ ଉପସଭାପତି ସ୍ବୀକାର କରିଛନ୍ତି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଉଭୟଙ୍କ ଭୂମିକା ସମାନ ଅଛି । ନିହାର ବାବୁଙ୍କ ପାଖରେ OTET ପ୍ରଶ୍ନପତ୍ର ସମ୍ପର୍କିତ ପାସ୍‌ୱାର୍ଡ ଥିଲା । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍‌ କରିବା କଥା କିନ୍ତୁ ସେ କରି ନ ଥିଲେ । ଏପରିକି ଜିତନ ମହାରଣାଙ୍କୁ ଲାପଟପ୍‌ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ତେବେ ଏନେଇ କଣ ଆର୍ଥିକ କାରବାର ହୋଇଛି ନା ନାହିଁ, ତାହାର ତଦନ୍ତ ଏବେ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ସୂଚନା ଅନୁସାରେ, ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କୁ ଘନ ଘନ ଜେରା ପରେ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଉପସଭାପତିଙ୍କୁ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନଙ୍କୁ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ତାଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି ହୋଇଥିବା ନେଇ ପ୍ରମାଣ ମିଳିଛି ।