ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ SOP ଜାରି କ କରାଯାଇଛି। ବିଭାଗର SOP ଅନୁଯାୟୀ, ତୁରନ୍ତ ନୂତନ ରାଜସ୍ବ ଗ୍ରାମଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ- ରେକର୍ଡ ଓ ସର୍ଭେ ଓ ସର୍ଭେ ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲାପାଳ ଏବଂ ଆର୍ଡିସିଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ରେ ଲେଖିଛନ୍ତି ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବିହୋଇ ଆସୁଥିଲା । ଏହାକୁ ନେଇ ଜିଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍କୁ ଆଧାରକରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲାରେ ୧୬୩୫ଟି ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। ରାଜସ୍ବ ଗ୍ରାମ ବିଭାଜନ ଦ୍ବାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍, ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ ପ୍ଲଟ୍ ତଥ୍ୟ ରହିବା ଜରୁରୀ । ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ୱ ଗ୍ରାମର ରେକର୍ଡ ମିଶି ନ ଯାଏ ସେଥି ପ୍ରତି ଦୃଷ୍ଟି ଦେବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି।