ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଖବର ସାମ୍ନାକୁ ଆସିଛି । ଭୂସ୍ଖଳନରେ ବାପପୁଅ ନିଖୋଜ ହୋଇଛନ୍ତି । ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ । ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଓ ପୋଲିସ । ରାୟଗଡ଼ରୁ ନୂଆଗଡ଼ ଓ ରା.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ମାଟି ଅତଡ଼ା ଖସିଲା । ଫଳରେ ଅଢେଇ ଗାଁ ଓ କୁଯାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ ।
ସେପଟେ ଟ୍ରେନ୍ ଟ୍ରାକ୍ ଉପରେ ଖସିଲା ପଥର, ମାଟି ଅତଡ଼ା । ପ୍ରବଳ ବର୍ଷାରେ ପଥର, ମାଟି ଅତଡ଼ା ଖସିପଡ଼ିବାରୁ ଭାଙ୍ଗିଲା ଟ୍ରେନ୍ ଟ୍ରାକ୍ । ରାୟଗଡ଼ାରୁ ଲାଡା ରେଳ ଷ୍ଟେସନ ମଧ୍ୟରେ ଟ୍ରାକ୍ ଭାଙ୍ଗିଲା । ଘଟଣାସ୍ଥଳରେ ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ମରାମତି କାର୍ଯ୍ୟ ଜାରି ରହିଛି । ଡୁମୁରିପୁଟ ଓ ଦାମନଯୋଡ଼ି ମଧ୍ୟରେ ଡାଉନ୍ ଲାଇନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିଶାଖାପାଟଣା-କୋରାପୁଟ ଲାଇନ୍ରେ ବିଦ୍ୟୁତ ତାର ଉପରେ ପଡ଼ିଛି ଗଛ । ତେବେ ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ୨ଟି ଟ୍ରେନ୍ ବାତିଲ୍ । ଆଜି ପାଇଁ ବିଶାଖାପାଟଣା-କିରଣ୍ଡୁଲ ନାଇଟ୍ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି । ଏନେଇ ୱାଲ୍ଟିୟର ରେଲ୍ ଡିଭିଜନ୍ ପକ୍ଷରୁ ସୂଚନା ଜାରି କରାଯାଇଛି ।