ଧମାଲ କରୁଛି ବର୍ଡର ୨, ପଞ୍ଚମ ଦିନରେ କଲା ବମ୍ପର ରୋଜଗାର

Mumbai: ସନ୍ନି ଦେଓଲ ଓ ବରୁଣ ଧୱନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବର୍ଡର ୨’ ମୁକ୍ତିଲାଭର ୬ ଷ୍ଠ ଦିନରେ ପହଞ୍ଚିଛି। ରିଲିଜ ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ କରୁଛି। ଦର୍ଶକଙ୍କ ମନ ଜିତିବା ସହ ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରିଛି। ରବିବାର ଓ ଗଣତନ୍ତ୍ର ଦିବସ ଅବସରରେ ‘ବର୍ଡର ୨’ ସିଙ୍ଗଲ ଡେ’ରେ ୫୦ କୋଟିରୁ ଅଧିକ ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଛୁଟି ଦିନରେ ଜବରଦସ୍ତ କଲେକ୍ସନ ହେଲେ ମଧ୍ୟ, ପଞ୍ଚମ ଦିନରେ ଫିଲ୍ମର ଆୟରେ କିଛିଟା ହ୍ରାସ ଦେଖାଦେଇଛି। ତଥାପି ଭାରତରେ ଫିଲ୍ମର ମୋଟ କଲେକ୍ସନ ୧୯୬.୫ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଶୀଘ୍ର ୨୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି।

‘ବର୍ଡର ୨’ ଘରୋଇ ବକ୍ସ ଅଫିସ କଲେକ୍ସନ:

  • ପ୍ରଥମ ଦିନ (ଶୁକ୍ରବାର): ୩୦ କୋଟି
  • ଦ୍ୱିତୀୟ ଦିନ (ଶନିବାର): ୩୬.୫ କୋଟି
  • ତୃତୀୟ ଦିନ (ରବିବାର): ୫୪.୫ କୋଟି
  • ଚତୁର୍ଥ ଦିନ (ସୋମବାର): ୫୯ କୋଟି
  • ପଞ୍ଚମ ଦିନ (ମଙ୍ଗଳବାର): ୧୯.୫ କୋଟି
  • ମୋଟ: ୧୯୬.୫ କୋଟି ଟଙ୍କା (ଭାରତରେ)

ବିଶ୍ୱବ୍ୟାପୀ କଲେକ୍ସନ:

ଭାରତ ସହିତ ବିଦେଶ ବଜାରରେ ମଧ୍ୟ ‘ବର୍ଡର ୨’ ଜବରଦସ୍ତ କ୍ରେଜ ସୃଷ୍ଟି କରିଛି। ବିଦେଶରେ ପାଖାପାଖି ୩୫ କୋଟି ଟଙ୍କା ଆୟ କରିଥିବା ବେଳେ, ବିଶ୍ୱବ୍ୟାପୀ ବକ୍ସ ଅଫିସ କଲେକ୍ସନ ପ୍ରାୟ ୨୭୦.୭ କୋଟି ଟଙ୍କାକୁ ଛୁଇଁଛି। ଆଗାମୀ ଦିନରେ ଫିଲ୍ମର ଆୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କହିରଖୁଛୁ ଯେ, ‘ବର୍ଡର ୨’ ଅନୁରାଗ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ। ଫିଲ୍ମଟି ଗୁଲସନ କୁମାର ଓ ଟି-ସିରିଜ୍‌ର ବ୍ୟାନର ତଳେ, ଜେପି ଦତ୍ତାଙ୍କ JP Films ସହିତ ମିଳିତ ଭାବରେ ପ୍ରସ୍ତୁତ। ଭୂଷଣ କୁମାର, କ୍ରିଷ୍ଣ କୁମାର, ଜେପି ଦତ୍ତା ଓ ନିଧି ଦତ୍ତା ଏହାର ପ୍ରଯୋଜକ। ଫିଲ୍ମରେ ସନ୍ନି ଦେଓଲ, ବରୁଣ ଧୱନ, ଦିଲଜିତ ଦୋସାଞ୍ଜ ଓ ଆହାନ ସେଟ୍ଟୀ ମୁଖ୍ୟ ଭୂମିକାରେ ଅଛନ୍ତି। ମହିଳା ନାୟିକା ଭାବେ ମୋନା ସିଂହ, ସୋନମ ବାଜୱା, ଆନ୍ୟା ସିଂ ଓ ମେଧା ରାଣା ଅଭିନୟ କରିଛନ୍ତି।