ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ: ଭୟଭୀତ ନହେବାକୁ AG ପୀତାମ୍ବର ଆଚାର୍ଯ୍ୟଙ୍କ ଆହ୍ୱାନ, ମୁଖ୍ୟମନ୍ତ୍ରୀ କରୁଛନ୍ତି ନିରୀକ୍ଷଣ
ଭୁବନେଶ୍ଵର: ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟ୍ । ଆତଙ୍କିତ ହୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ପାଇଁ ଏଭଳି ଧମକ । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି । ଏହାର ଅର୍ଥ ନୁହେଁ ଯେ, ସରକାର ଏହାକୁ ହାଲୁକାରେ ନେଇଛନ୍ତି । ସରକାର ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି, ଯାଞ୍ଚ ଚାଲିଛି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି, କୋର୍ଟ ସୁରକ୍ଷାକୁ ନେଇ ସାଲିସ୍ କରାଯିବନି । କେଉଁଠୁ ମେଲ୍ ଆସୁଛି ସୋର୍ସ ଖୋଜା ଚାଲିଛି, ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ।

ତେବେ ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି। ଏହା ଜଣାପଡିବା ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ ପୋଲିସ ତନାଘନା ଚଲାଇଛି। ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ଏବେ ହାଇ-ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ କଟକରେ ଆଲର୍ଟ ଜାରି ହୋଇଛି। ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସି ଆରମ୍ଭ କରିଛି।