ଆଜି ଆକାଶରେ ଦିଶିବ ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍ । ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂରା ଲାଲ୍ ହୋଇଯିବ ଜହ୍ନ । ମିନିଟିଏ କି ଦୁଇ ମିନିଟ୍ ପାଇଁ ନୁହେଁ ବରଂ ଏହି ଲାଲ୍ ହଜ୍ନ ଆକାଶରେ ୮୨ ମିନିଟ୍ ଯାଏଁ ଦୃଶ୍ୟମାନ ହେବ । ଆଜି ରାତି ଏବଂ ସୋମବାର ମଝିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଆକାଶରେ ଦୃଶ୍ୟମାନ ହେବ । ଏହା ବର୍ଷର ୨ୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାକୁ ଦେଖିବାକୁ ସମସ୍ତଙ୍କ ମଧ୍ଯରେ ଉତ୍କଣ୍ଠା ବଢିଛି ଏବଂ ରାତି ହେବାକୁ ସମସ୍ତଙ୍କର ଅପେକ୍ଷା ରହିଛି ।
ବୈଜ୍ଞାନିକଙ୍କ ଭାଷାରେ ବ୍ଲଡ୍ ମୁନ୍ ହେଉଛି ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟ- ପୃଥିବୀ-ଚନ୍ଦ୍ର ଏକ ସରଳରେଖାରେ ରୁହନ୍ତି । ଯେଉଁ ସମୟରେ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦିଏ । ଯାହା ଫଳରେ ସୂର୍ଯ୍ୟକିରଣ ସିଧାସଳଖ ଚନ୍ଦ୍ର ଉପରେ ପଡିପାରେ ନାହିଁ । ପୃଥିବୀର ବାୟୁମଣ୍ଡଳ ଦେଇ ସୂର୍ଯ୍ଯକିରଣ ସିଧାସଳଖ ନପଡ଼ି ବକ୍ର ଆକାରରେ ଚନ୍ଦ୍ର ଉପରେ ପଡିଥାଏ । ନୀଳ ଏବଂ ବାଇଗଣୀ ରଶ୍ମୀ ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ପଡେ । ମାତ୍ର ଲାଲ ଏବଂ ନାରଙ୍ଗୀ ରଶ୍ମୀ ଚନ୍ଦ୍ର ଯାଏଁ ଅତିକ୍ରମ କରି ପହଞ୍ଚିଯାଏ । ଏହି କାରଣରୁ ଆକାଶରେ ଚନ୍ଦ୍ର ଲାଲ୍ ଦିଶେ । ଏହାକୁ ରେଲି ସ୍କେଟରିଙ୍ଗ କୁହାଯାଏ । ତାହାକୁ ବ୍ଲଡ୍ ମୁନ୍ ମଧ୍ଯ କୁହାଯାଏ ।
ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁସାରେ ରାତି ୯ଟା ୫୮ରେ ଆରମ୍ଭ ହେବାକୁ ଥିବା ବେଳେ ଏହା ରାତି ୧ଟା ୨୬ ମିନିଟରେ ଶେଷ ହେବ । ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦରେ ଦିଶିବ ଏହି ବ୍ଲଡ୍ ମୁନ୍ । ଏସବୁ ସହରର ଲୋକେ ବ୍ଲଡ୍ ମୁନକୁ ସ୍ପଷ୍ଟ ଭାବେ ଦେଖିପାରିବେ ।